ଏଫପିଓ ଏବଂ ଏସଏଚଜିଙ୍କ ଦକ୍ଷତା ବୃଦ୍ଧି ପାଇଁ ନାବାର୍ଡର ରାଜ୍ୟସ୍ତରୀୟ କନକ୍ଲେଭରେ କେନ୍ଦ୍ରମନ୍ତ୍ରୀ

Published: Nov 28, 2023, 1:38 pm IST

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଫପିଓ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଦେଶର କୃଷକ, ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରିବାର ଦାୟିତ୍ୱ ନେଇଛନ୍ତି ବୋଲି ଶନିବାର ନାବାର୍ଡ ପକ୍ଷରୁ ଆୟୋଜିତ ‘ରାଜ୍ୟସ୍ତରୀୟ କନକ୍ଲେଭ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର ଠାରେ ନାବାର୍ଡ ପକ୍ଷରୁ କୃଷକ ଉତ୍ପାଦ ସଂଗଠନ (ଏଫପିଓ) ଓ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ଙ୍କ ଦକ୍ଷତା ବୃଦ୍ଧି କରି ସଶକ୍ତିକରଣ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ଆମ ଦେଶର ଗ୍ରାମୀଣ ବିକାଶ ଏବଂ ସଶକ୍ତୀକରଣରେ ନାବାର୍ଡର ବିଶେଷ ଭୂମିକା ରହିଆସିଛି । ଓଡ଼ିଶାରେ ଗ୍ରାମାଞ୍ଚଳର ଆର୍ଥିକ ବ୍ୟବସାୟ ପାଇଁ ବ୍ୟୟବରାଦ ୨୦୧୪ରେ ୧୩ ହଜାର କୋଟି ଟଙ୍କା ଥିବା ବେଳେ ମୋଦି ସରକାରରେ ଏହି ଆର୍ଥିକ ପ୍ରବନ୍ଧନ ଅଢେଇ ଗୁଣା ବୃଦ୍ଧି ପାଇ ୩୩ ହଜାର କୋଟି ଟଙ୍କାରେ ପହଞ୍ଚିଛି । ଏଫପିଓ ଏବଂ ଏସଏଚଜିଙ୍କୁ କମ୍ ସୁଧରେ ତଥା ନାମକୁ ମାତ୍ର ଋଣ ପ୍ରଦାନ କରିବା ବହୁତ ସହଜ ହୋଇଛି । ମୋଦି ସରକାର ଏସଏଚଜି ଭଉଣୀଙ୍କୁ ୧୧ ପ୍ରତିଶତ ସୁଧରେ ଦେଉଥିବା ଋଣର ୭ ପ୍ରତିଶତ ପରିଶୋଧ କରୁଥିବା ବେଳେ ସ୍ଥାନୀୟ ସରକାର ୪ ପ୍ରତିଶତ ପରିଶୋଧ କରୁଛନ୍ତି । ଋଣ ନେଉଥିବା ଏସଏଚଜି ଗ୍ରୁପମାନେ ବ୍ୟବସାୟକୁ ବଢାଇ ସ୍ୱାବଲମ୍ବୀ ହେବା ପାଇଁ ଋଣ ଅର୍ଥ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାରରେ ଗରିବ, ମହିଳା, ଚାଷୀ ପ୍ରାଥମିକତାରେ ଅଛନ୍ତି । ଓଡ଼ିଶାରେ ପ୍ରତି ବର୍ଷ ୩୩ ଲକ୍ଷ ଚାଷୀ ମାନଙ୍କ ପରିବାରକୁ ପିଏମ କିଷାନ ସମ୍ମାନ ନିଧି ୬ ହଜାର ଟଙ୍କା ଲେଖାଏଁ ଦିଆଯାଉଛି । ଫସଲ ବୀମା ବାବଦରେ ୫ ହଜାର କୋଟି ମିଳୁଛି । ଓଡ଼ିଶାରେ ୪୦୦ଟି ଏଫପିଓ କାମ କରୁଛନ୍ତି । ଭାରତ ସରକାରଙ୍କ ନାବାର୍ଡ ପ୍ରତିବର୍ଷ ମାତ୍ର ୫ ପ୍ରତିଶତ ରୁ ୬ ପ୍ରତିଶତ ସୁଧରେ ଓଡ଼ିଶା ସରକାରଙ୍କୁ ଗ୍ରାମାଞ୍ଚଳରେ ବିକାଶମୂଳକ କାମ ପାଇଁ ଋଣ ଦେଉଛି । ଗରିବ ଘରୁ ଆସୁଥିବା ଲୋକମାନଙ୍କ କମ୍ପାନୀ ତିଆରି କରିବାର ସ୍ୱପ୍ନ ସାକାର ହେଉଛି । ୨ କୋଟି ଲକ୍ଷପତି ଦିଦି ବନାଇବାର ଯୋଜନା ହୋଇଛି । ମୋଦିଜୀ ଆଜି ଗ୍ରାମାଞ୍ଚଳର ଲୋକଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ଭୋକାଲ ଫର୍ ଲୋକାଲର ବଡ଼ ଆମ୍ବାସେଡର ହୋଇଛନ୍ତି । ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ।

ଏହି ଅବସରରେ ଏଫପିଓ ତଥା ଏସଏଚଜିର ମାଆ ଭଉଣୀ ମାନଙ୍କୁ ସେମାନଙ୍କର ବ୍ୟବସାୟ ବଢାଇବା ପାଇଁ ଶ୍ରୀ ପ୍ରଧାନ ନାବାର୍ଡ ପକ୍ଷରୁ ଋଣ ପ୍ରଦାନ କରିଥିଲେ।

Related posts