ବଧୁ ହତ୍ୟା ମାମଲା: ଶାଶୁ ଶଶୁରଙ୍କୁ ଗିରଫ କଲା ବାଲୁଗାଁ ପୋଲିସ, ସ୍ବାମୀ ଫେରାର

Published: Aug 16, 2024, 7:07 pm IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ବଧୁ ହତ୍ୟା ମାମଲାରେ ଶାଶୁ ଶଶୁରକୁ ଗିରଫ କରିଛି ବାଲୁଗାଁ ପୋଲିସ।ଖବର ମୁତାବକ ଚଳିତ ମାସ ୧୩ ତାରିଖରେ ବାଲୁଗାଁ ଥାନା ଅନ୍ତର୍ଗତ ଧୂଆଁଳ ଗ୍ରାମରେ ବଧୁ ହତ୍ୟା ନେଇ ମୃତକଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ପକ୍ଷରୁ ୨୫୪/୨୪ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିଲା।

ତେବେ ଆଜି ମୃତକଙ୍କ ଶାଶୁ ଶଶୁରଙ୍କୁ ପୋଲିସ ଗିରଫ କରିଥିବା ବେଳେ ସ୍ୱାମୀ ଅଦ୍ୟାବଧି ଫେରାର ରହିଥିବା ସୂଚନା ମିଳିଛି। ଅଭିଯୋଗ ମୁତାବକ ବାଣପୁର କୁମାରଙ୍ଗ ଗ୍ରାମର ଅଜିତ ସେଠୀଙ୍କ ଝିଅ ମାମୁନି ଛଅ ବର୍ଷ ତଳେ ବାଲୁଗାଁ ଥାନା ଅନ୍ତର୍ଗତ ଧୂଆଁଳ ଗ୍ରାମର ପ୍ରଫୁଲ୍ଲ ସେଠୀଙ୍କ ସାନ ପୁଅ ମନୋଜକୁ ବୈଦିକ ରୀତିରେ ବିବାହ କରିଥିଲେ।

ବିବାହ ସମୟରେ ଦାବି ମୁତାବକ ଯାନି ଯୌତୁକ ଦେଇଥିଲେ ସୁଦ୍ଧା ଶାଶୁ ଘର ପକ୍ଷରୁ ଆଉ ଦୁଇ ଲକ୍ଷ ଟଙ୍କା ଦାବି କରୁଥିବା ବେଳେ ଟଙ୍କା ନଦେବାରୁ ଝିଅକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବାସହ ବିଷ ଦେଇ ମାରି ଦେଇଥିବା ମାମୁନିର ବାପା ଅଜିତ ଥାନାରେ ଅଭିଯୋଗ କରିଥିଲେ।

ଏନେଇ ବାଲୁଗାଁ ଥାନା ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ଆଜି ଅଭିଯୁକ୍ତ ଶାଶୁ ବିବି ସେଠି ଓ ଶଶୁର ପ୍ରଫୁଲ ସେଠିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅତିଶୀଘ୍ର ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଯିବା ନେଇ ଆଇଆଇସି ଜୟ ପ୍ରକାଶ ପରିଡା ସୂଚନା ଦେଇଛନ୍ତି।

Related posts