ରଖେ ହରି ତ ମାରିବ କିଏ?: ୫ଘଣ୍ଟା ପରେ ଉଦ୍ଧାର ହେଲା ଟ୍ରେନରୁ ଖସି ପଡିଥିବା ୫ ବର୍ଷର ଶିଶୁ

Published: Sep 4, 2024, 9:32 pm IST

ରେଢ଼ାଖୋଲ (କନ୍ଦର୍ପ ବେହେରା ): କଥାରେ ଅଛି ରଖେ ହରି ତ ମାରିବ କିଏ? ରେଢ଼ାଖୋଲ ରେଳ ଷ୍ଟେସନ ଠାରୁ ୪କିମି ଦୂର ଅଙ୍ଗାରପୁଡ଼ା ଗ୍ରାମରେ ବିଳମ୍ବିତ ରାତିରେ ଟ୍ରେନରୁ ପାଞ୍ଚ ବର୍ଷର ଶିଶୁ ଖସି ପଡିଥିଲା। କିନ୍ତୁ ରାତିରେ ଶିଶୁକୁ ଆର ପି ଏଫ ସୁରକ୍ଷିତ ଉଦ୍ଧାର କରିଥିଲା।

ଖବରରୁ ପ୍ରକାଶ ଯେ, ବ୍ରହ୍ମପୁର ନିବାସୀ ମାନସ ହୋତା ସପରିବାର ଭୁବନେଶ୍ୱର ଦୁର୍ଗ-ପୁରୀ ଏକ୍ସପ୍ରେସରେ ଭୁବନେଶ୍ୱର ଯାଉଥିଲେ। ସାଙ୍ଗରେ ପାଞ୍ଚ ବର୍ଷର ପୁଅ ପ୍ରିତିଶ ପ୍ରଜ୍ଞ୍ୟା ହୋତା ମଧ୍ୟ ଥିଲେ। ହେଲେ ରାତି ପାଖା ପାଖି ୨ଟା ସମୟରେ ଶିଶୁଟି ରେଢ଼ାଖୋଲ ଠାରୁ ଚାରି କିଲୋମିଟର ଦୂର ଅଙ୍ଗାରପୁଡା ଗ୍ରାମରେ ଶିଶୁଟି ପଡିଯାଇଥିଲା। ଶିଶୁଟିର ପିତା ମାତା ପୁଅ ଟ୍ରେନ ତଳକୁ ପଡିବା ସମ୍ପର୍କରେ ଆଦୌ ଜାଣିପାରି ନ ଥିଲେ। ଟ୍ରେନ ଟି ଅନୁଗୋଳ ପହଁଚିଲା ବେଳକୁ ପୁଅ ଟିକୁ ନ ପାଇ ପିତା ମାନସ ହୋତା ରେଳ ବିଭାଗ କୁ ଫୋନ୍ କରିଥିଲେ। ଏହା ଭିତରେ ଏକ ମାଲ ବାହି ଟ୍ରେନ ସେଇ ରୁଟ ଦେଇ ଯାଉଥିବା ବେଳେ ଏକ ମୃତ ଦେହ ପଡ଼ିଥିବା ରେଢ଼ାଖୋଲ ଷ୍ଟେସନକୁ ସୂଚନା ଦେବା ପରେ ରେଢ଼ାଖୋଲ ଆର ପି ଏଫ ପହଂଚି ମୃତ ବଦଳରେ ଶିଶୁଟିକୁ ଜୀବନ୍ତ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ଟ୍ରେନ ଟି ଢେଙ୍କାନାଳ ପହଁଚିଲା ବେଳକୁ ପୁଅ ରେଢ଼ାଖୋଲ ରେ ଥିବା ଜାଣି ପାରି ଥିଲେ ଶିଶୁଟିର ପିତାମାତା। ଶିଶୁ ଟି ରାତି ତମାମ ଟ୍ରାକ ପାଖରେ ପଡି ରହିଥିଲା। ମୁହଁ ରେ ସାମାନ୍ୟ ଆଘାତ ଲାଗିଛି। ବେକରେ ଏକ ଲକେଟ ପିନ୍ଧି ଥିବାରୁ ଭଗବାନ ତାକୁ ବଞ୍ଚାଇଦେଲେ ବୋଲି କୁହାଯାଉଛି।

Related posts