ଶଙ୍ଖ ଭବନରେ ବିଜେଡି ଡାକିଲା ବରିଷ୍ଠ ନେତାଙ୍କ ଜରୁରୀ ବୈଠକ, କାରଣ କଣ କୁହାଯାଉ ନାହିଁ

Published: Sep 25, 2024, 1:01 pm IST

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଜେଡି ବଡ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ବର୍ତ୍ତମାନ ଦଳର ପରବର୍ତ୍ତି ରଣନୀତି ନେଇ କର୍ମୀମାନେ ଆଶଙ୍କାରେ ଅଛନ୍ତି। ନବୀନ ବିଭିନ୍ନ ସମୟରେ ଶଙ୍ଖ ଭବନରେ ଜିଲ୍ଲା ସ୍ତରୀୟ ବୈଠକ କରୁଥିଲେ ମଧ୍ୟ ତାହା ତ୍ରୁଣମୂଳ ସ୍ତରରେ ଯେପରି ପ୍ରଭାବ ପକାଇବା କଥା ତାହା ହେଉ ନାହିଁ। ଏପରିକି ବିଜେଡି ବିରୋଧୀ ଦଳ ଭାବେ ଯେପରି ଆକ୍ରମଣାତ୍ମକ ହେବା କଥା ତାହା ମଧ୍ୟ ହୋଇପାରୁ ନାହିଁ।

ଏଥିସହିତ ଶଙ୍ଖ ଭବନରେ ବସୁଥିବା ବିଭିନ୍ନ ଜିଲ୍ଲା ସ୍ତରୀୟ ବୈଠକରେ ନେତାମାନେ ସେମାନଙ୍କର ଅସନ୍ତୋଷ ଝାଡିବାରେ ଲାଗିଛନ୍ତି। ନିଜ ନିଜ ଭିତରେ ଗୋଡଟଣା ଏବଂ ଭୁଲ ନିର୍ବାଚନ ପରିଚାଳନା ନେଇ ସମସ୍ତେ ମତ ରଖୁଛନ୍ତି। ହେଲେ ସେହି ଅସନ୍ତୋଷକୁ ନେଇ ସଭାପତି ନବୀନ ପଟ୍ଟନାୟକ କଣ ପଦକ୍ଷେପ ଗ୍ରହଣ କରିବେ କିଛି ଜଣାପଡି ନାହିଁ।

ବର୍ତ୍ତମାନ ନିର୍ବାଚନ ସରିବାର ତିନିମାସ ବିତିଯାଇଥିଲେ ମଧ୍ୟ ବିଜେଡି ଯେପରି ସକ୍ରିୟ ହେବା କଥା ତାହା ହୋଇପାରୁ ନାହିଁ। ବର୍ତ୍ତମାନ ଦଳରେ ନବୀନ ପଟ୍ଟନାୟକ ପରେ ଅନ୍ୟ କିଏ ମଙ୍ଗ ଧରିବ ସେ ନେଇ କିଛି ନିଷ୍ପତି ମଧ୍ୟ ହୋଇପାରୁ ନାହିଁ। ନିକଟରେ ଦଳ ଏକ କମିଟ ଗଠନ କରିଥିଲେ ମଧ୍ୟ ସେ କମିଟ ଏ ପର୍ଯ୍ୟନ୍ତ କିଛି ଆଖିଦୃଶିଆ କାର୍ଯ୍ୟ କରିପାରୁ ନାହିଁ। ଫଳରେ ବିଜେଡି ବର୍ତ୍ତମାନ ଝୁଲା ଅବସ୍ଥାରେ ରହିଛି।

ଏପରି ପରିସ୍ଥିତିରେ ଦଳ ଆସନ୍ତା ୨୭ ତାରିଖରେ ଶଙ୍ଖ ଭବନରେ ଏକ ବଡ ବୈଠକ ଡାକିଛି। ଏଥିରେ ଦଳର ସବୁ ବରିଷ୍ଠ ନେତା, ସବୁ କମିଟ ସଦସ୍ୟଙ୍କ ସହିତ ଜିଲ୍ଲା ସଭାପତି ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ବୈଠକ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବୋଲି କୁହାଯାଉଛି। ହେଲେ ଏହି ବୈଠକରେ କଣ ଆଲୋଚନା ହେବ ସେ ନେଇ କୌଣସି ନିର୍ଦ୍ଦିଷ୍ଠ ସୂଚନା ପ୍ରଦାନ କରାଯାଇ ନାହିଁ। ତେବେ ଏହି ବୈଠକରେ ନିର୍ବାଚନ ବିପର୍ଯ୍ୟୟର କାରଣ ଖୋଜାଯିବ ବୋଲି କୁହାଯାଉଛି।

Related posts