ବାଣପୁର ବ୍ଲକରେ ପୋକ୍ସୋ ଆଇନ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Published: Sep 30, 2024, 5:37 pm IST

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବ୍ଲକ ସଭାଗୃହରେ ପୋକ୍ସୋ ଆଇନ ଏବଂ ଉକ୍ତ ଆଇନ ଅଧୀନ ମହିଳା ପୀଡ଼ିତାଙ୍କ ନିମନ୍ତେ କ୍ଷତିପୂରଣ ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ଅତିରିକ୍ତ ବିଡ଼ିଓ ନିରାକାର ଜେନା, ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ, ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଆଇନଜୀବୀ ଜଗଦିଶ ପଟ୍ଟନାୟକ, ସୀତାରାମ ଅଗ୍ରୱାଲ, କାମେଶ୍ୱର ଆଚାରୀ ଏବଂ ବାଣପୁର ବ୍ଲକ ଓ ଏନଏସି ର ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।

ଏହି ଅବସରରେ ବିଚାରପତି ଶ୍ରୀ ମହାପାତ୍ର ଶିଶୁ ମାନଙ୍କ ଉପରେ ହେଉଥିବା ବିଭିନ୍ନ ଅପରାଧ ଏବଂ ଦଣ୍ଡବିଧାନ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ। ଶିଶୁମାନଙ୍କ ବିରୁଦ୍ଧରେ ହେଉଥିବା ଯୌନ ନିର୍ଯ୍ୟାତନା, ହିଂସା ଏବଂ ଯୌନ ଉଦ୍ଦୀପକ (ପର୍ଣ୍ଣଗ୍ରାଫି) ପ୍ରକାଶନ, ବିତରଣ ଏବଂ ତାହାକୁ ନିଜ ପାଖରେ ରଖିବା ଅପରାଧ ବୋଲି ବିବେଚିତ କରିଥିଲେ। ଶିଶୁଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ଲୁଚାଇରଖିବା ଏବଂ ଶିଶୁଙ୍କର ପରିଚୟ ପ୍ରକାଶ କରିବା ମଧ୍ୟ ଉକ୍ତ ଆଇନ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। ତତସହିତ ପୀଡ଼ିତାଙ୍କ ନିମନ୍ତେ ଉକ୍ତ ଆଇନ ଅନ୍ତର୍ଗତ କ୍ଷତିପୂରଣ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ବିଚାରପତି ଶ୍ରୀ ମହାପାତ୍ର।

Related posts