ବେଦାନ୍ତ ପାଉଁଶକୁ ନେଇ ଉତକ୍ଷିପ୍ତ ହେଲେ ବିଜେପି ସାଂସଦ, କାର୍ଯ୍ୟାନୁଷ୍ଠନ ପାଇଁ କେନ୍ଦ୍ରକୁ ଲେଖିଲେ ଚିଠି

Published: Oct 17, 2024, 5:15 pm IST

ଭୁବନେଶ୍ବର: ବେଦାନ୍ତ କଂପାନୀର ପାଉଁଶକୁ ନେଇ ଉତକ୍ଷିପ୍ତ ହେଲେ ବିଜେପି ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ। କଂପାନୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କଲେ ବରଗଡରଏହି ଲୋକସଭା ସାଂସଦ। ବେଦାନ୍ତ ଝାରସୁଗୁଡା ପାୱାର ପ୍ଲାଣ୍ଟରୁ ଯେଉଁ ପାଉଁଶ ଉତ୍ପନ ହେଉଛି ତାହା ସ୍ଥାନୀୟ ପରିବେଶକୁ ପ୍ରଦୂଷିତ କରୁଛି। କେନ୍ଦ୍ର ସରକାର ତୁରନ୍ତ ଏହା ବିରୋଧରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ସାଂସଦ ପ୍ରଦୀପ କେନ୍ଦ୍ର ସରକାରଙ୍କ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବଙ୍କୁ ଏହି ଚିଠି ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ବେଦାନ୍ତ ଝାରସୁଗୁଡା କଂପାନୀ ବିଶାକ୍ତ ପାଉଁଶ ବେଆଇନି ଭାବେ ବିଭିନ୍ନ ସ୍ଥାନରେ ପକାଉଛି। ଏହା ଉପରେ କେନ୍ଦ୍ର ସରକାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କମିଟ ଗଠନ କରି ଅନୁଧ୍ୟାନ କରନ୍ତୁ। ଏହାପରେ କଂପାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଶ୍ରୀ ପୁରୋହିତ ଚିଠିରେ ଲେଖିଛନ୍ତି।

ସେ କହିଛନ୍ତି ଯେ, ବେଦାନ୍ତ କଂପାନୀର ଏକ ଥର୍ମାଲ ପାୱାର ପ୍ଲାଣ୍ଟ ଓଡିଶାର ଝାରସୁଗୁଡା ଜିଲ୍ଲାରେ ରହିଛି। କଂପାନୀ ଏହି ପ୍ଲାଣ୍ଟରୁ ପାୱାର ଉତ୍ପାଦନ କରିବା ପାଇଁ ବହୁ ପରିମାଣର କୋଇଲା ଜାଳୁଛି। ସେହି କୋଇଲାରୁ ଯେଉଁ ପାଉଁଶ ବାହାରୁଛି ତାହାକୁ ଏକ ପୋଖରୀ କରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ସେହି ପାଉଁଶ ଯେଉଁ କଂପାନୀ ପରିବହନ କରୁଛି ସେ ରାସ୍ତା ପାଖରେ ଢାଳି ଦେଉଛି। ଏପରିକି ଜିଲ୍ଲାର ଜଙ୍ଗଲ ଏବଂ ନଦୀରେ ମଧ୍ୟ ଏହି ପାଉଁଶ ପକାଯାଉଥିବାର ଲକ୍ଷ୍ୟ କରାଯାଇଛି। ଯାହା ବେଆଇନି ବୋଲି ପୁରୋହିତ କହିଛନ୍ତି।

ସେ କହିଛନ୍ତି ଯେ, ପରିବେଶବିତଙ୍କ ଅନୁସାରେ ଏହି ପାଉଁଶରେ ନିକେଲ, କ୍ୟାଡିୟମ, ଆଣ୍ଟିମନି, ଆର୍ସେନିକ, କ୍ରୋମିୟମ ଏବଂ ଲିଡ ପରି ବହୁ ରାସାୟନିକ ଦ୍ରବ୍ୟ ରହିଛି। ଏହା ସଂସ୍ପର୍ଶରେ ମଣିଷ ତଥା ପଶୁପକ୍ଷୀ ଆସିଲେ ବିଭିନ୍ନ ରୋଗରେ ପିଡିତ ହେବାର ସମ୍ଭାବନା ରହିଛି। ସେଥିପାଇଁ ବେଦାନ୍ତ କଂପାନୀ ତଥା ପାଉଁଶ ପରିବହନ କରୁଥିବା କଂପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପୁରୋହିତ କେନ୍ଦ୍ରକୁ ଜଣାଇଛନ୍ତି। ଏପରିକି ସେ ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବେ ବୋଲି ଜଣାପଡିଛି।

Related posts