ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନକୁ ଉଲ୍ଲଂଘନ କରାଯାଉଛି। ଏହି ଆଇନକୁ କାର୍ଯ୍ୟନିର୍ବାହୀ ଅଧିକାରିଣୀ ଠିକ ଭାବରେ ଅନୁପାଳନ କରୁନାହାନ୍ତି। ସୂଚନା ଅଧିକାର କର୍ମୀଙ୍କୁ ନିର୍ଦ୍ଧାରିତ ସମୟ ସୀମା ଭିତରେ ସୂଚନା ପ୍ରଦାନ କରିନଥିବାରୁ ବାଧ୍ୟ ହୋଇ ଆବେଦନକାରି ରାଜ୍ୟ ସୂଚନା କମିଶନଙ୍କ ଦ୍ୱାରସ୍ତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବାଣପୁର ଅଞ୍ଚଳର ଆଇନଜୀବୀ ଓ ସୂଚନା ଅଧିକାର କର୍ମୀ ସୀତାରାମ ଅଗ୍ରୱାଲଙ୍କ କ୍ଷେତ୍ରରେ।
ଆବେଦନକାରୀ ଶ୍ରୀ ଅଗ୍ରୱାଲ ଚଳିତ ବର୍ଷ ଜୁଲାଇ ମାସ ୧୦ ତାରିଖ ଏବଂ ୧୬ ତାରିଖରେ ବାଣପୁର ଏନଏସି ରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଥ୍ୟ ହାସଲ ପାଇଁ ପୃଥକ ପୃଥକ ଭାବେ ଦୁଇ ଗୋଟି ଆରଟିଆଇ ଫର୍ମରେ ଆବେଦନ କରିଥିଲେ।ଆବେଦନପତ୍ର ଗ୍ରହଣର ୩୦ଦିନ ଭିତରେ ଆବେଦନକାରୀଙ୍କୁ ସୂଚନା ପ୍ରଦାନ କରିବାର ବିଧି ରହିଛି। ଏହି ନିୟମକୁ କାର୍ଯ୍ୟାଳୟ ପକ୍ଷରୁ ଠିକ୍ ଭାବରେ ପାଳନ କରା ନ ଯିବାରୁ ଆବେଦନକାରୀ ପ୍ରଥମ ଅଭିଯୋଗ ଗ୍ରହଣକାରୀ ଅଧିକାରୀ ତଥା ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ କାଦମ୍ବିନୀ ଜେନାଙ୍କ ନିକଟରେ ଚଳିତ ମାସ ଅଗଷ୍ଟ ୨୦ ତାରିଖରେ ଅଭିଯୋଗ କରିଥିଲେ।
ତେବେ ଅଭିଯୋଗପତ୍ର ଗ୍ରହଣର ୩୦ ଦିନ ଭିତରେ ଆବେଦନକାରୀଙ୍କୁ ପ୍ରଥମ ଅପିଲେଟ ଅଥରିଟି ସୂଚନା ପ୍ରଦାନ କରିବାର ବିଧି ରହିଛି। କିନ୍ତୁ ଅଦ୍ୟାବଧି ସୂଚନା ଅଧିକାର କର୍ମୀ ଶ୍ରୀ ଅଗ୍ରୱାଲଙ୍କୁ ବାଣପୁର ଏନଏସି ତଥ୍ୟ ପ୍ରଦାନ କରିନାହିଁ। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ନିକଟରେ ଖବର ପ୍ରକାଶ ହେବା ସତ୍ୱେ ଆବେଦନକାରୀଙ୍କୁ ସୂଚନା ମିଳିନାହିଁ। ତେବେ ଏହା ପଛରେ କାର୍ଯ୍ୟନିର୍ବାହୀ ଅଧିକାରିଣୀଙ୍କ କଣ ଉଦ୍ଦେଶ୍ୟ ରହିଛି ତାହା ସନ୍ଦେହଘେରରେ।
ପରିଶେଷରେ ଆବେଦନକରି ଶ୍ରୀ ଅଗ୍ରୱାଲ ଦ୍ଵିତୀୟ ଅପିଲେଟ ଅଥରିଟି ତଥା ରାଜ୍ୟ ସୂଚନା କମିଶନଙ୍କ ଦ୍ୱାରସ୍ତ ହୋଇଛନ୍ତି ଏବଂ ତାଙ୍କ ନିକଟରେ ଶେଷ ଅପିଲ କରିଥିବା ଜଣାପଡିଛି। ତତସହିତ ବାଣପୁର ଏନଏସି କାର୍ଯ୍ୟାଳୟରେ ସୂଚନା ଅଧିକାର କର୍ମୀଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଆବେଦନକାରି ଶ୍ରୀ ଅଗ୍ରୱାଲ। ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।