୩ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ, ଅନ୍ୟ ୩ ନିର୍ଦ୍ଦୋଷରେ ଖଲାସ

Published: Oct 25, 2024, 11:33 am IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ବାସୁଦେବ ପୁର ଗ୍ରାମରେ ଗତ ୨୦୨୩ ମସିହାରେ ସାମାନ୍ୟ କଥାକୁ ନେଇ ହୋଇଥିବା ହତ୍ୟା ଘଟଣାର ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅତିରିକ୍ତ ଜିଲ୍ଳା ଜଜ୍ ଡଃ ଇନ୍ଦୁ ଶର୍ମା ୩ ଅଭିଯୁକ୍ତ ଭାଇ ଯଥା ବୁଡୁ ପ୍ରଧାନ, ସନ୍ତୋଷ ପ୍ରଧାନ ଓ ମିଥୁନ ପ୍ରଧାନକୁ ଆଜୀବନ କାରାଦଣ୍ଡାଦେଶ ସହ ଏକ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି ଓ ଜରିମାନା ଅନାଦେୟ ଆଉ ଏକ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୁଚନା ଅନୁଯାୟୀ ଉକ୍ତ ଗ୍ରାମର ପ୍ରକାଶ ପ୍ରଧାନ ଓ ତାଙ୍କ ବଡ଼ ଭାଇଙ୍କ ପୁଅ ମଧ୍ୟରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ପୁର୍ବରୁ ଶତ୍ରୁତା ଥିଲା। ଘଟଣା ଦିନ ଅଭିଯୁକ୍ତ ବୁଡୁର ବଡବାପା ପୁଅ ଭାଇ ଘର କାମ ଏକ ଟ୍ରକରେ ଇଟା ମଗାଇ ଆଣିଥିବା ବେଳେ ଭୁଲ୍ ବଶତଃ ବୁଡୁ ଘର ଦାଣ୍ଡରେ କିଛି ଇଟା ଖସି ପଡ଼ିବାରୁ ଉଭୟଙ୍କ ମଧ୍ୟରେ ବଚସା ସୃଷ୍ଟି ହୋଇଥିଲା ଓ ଗାଁ ଲୋକଙ୍କ ହସ୍ତକ୍ଷେପ ଫଳରେ ଗଣ୍ଡଗୋଳ ଶାନ୍ତ ହୋଇଥିଲା। କିନ୍ତୁ ଘଟଣା ଦିନ ରାତିରେ କୁଲୁ ଘର ବାହାରେ ଛିଡା ହୋଇଥିଲା ବେଳେ ହଠାତ୍ ବୁଡୁ ଓ ତା’ର ଦୁଇ ଭାଇ ସନ୍ତୋଷ ଓ ମିଥୁନ ସହ ମିଶି ଶାବଳ ଠେଙ୍ଗା ଓ ଟାଙ୍ଗିଆ ଜରିଆରେ ଆକ୍ରମଣ କରିଥିଲେ। ଫଳରେ ଗୁରୁତର ଅବସ୍ଥାରେ କୁଲୁକୁ ଆଡପଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ପରିବାର ଲୋକେ ଭର୍ତ୍ତି କରିଥିଲେ।

କିନ୍ତୁ ଡ଼ାକ୍ତର କୁଲୁକୁ ମୃତ ଘୋଷଣା କରିଥିଲେ। ଏହାପରେ ପରିବାର ଲୋକେ କୁଲୁକୁ ହତ୍ୟା ଘଟଣାରେ ପାଟପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଉକ୍ତ ୩ ଭାଇ ସମେତ ତାଙ୍କ ମାଆ ଓ ଦୁଇ ଭାଇଙ୍କ ପତ୍ନୀଙ୍କ ନାମରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଅଦାଲତ ଅଭିଯୁକ୍ତ ୩ ଭାଇଙ୍କ ବିରୁଦ୍ଧରେ ବଳିଷ୍ଠ ପ୍ରମାଣକୁ ଆଧାର କରି ଉକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି ଓ ପ୍ରମାଣ ଅଭାବରୁ ଅନ୍ୟ ୩ ମହିଳାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Related posts