ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ, ରାଜ୍ୟପାଳ ରଖିବେ ଅଭିଭାଷଣ

Published: Feb 13, 2025, 9:31 am IST

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ୨୮ ଦିନ ଧରି ଚାଲିବ। ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ।

ଆଜି ପ୍ରଥମ ଦିନରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପତିଙ୍କ ଅଭିଭାଷଣ ଦେବେ। ଆସନ୍ତାକାଲି ଅର୍ଥାତ ଫେବୃୟାରୀ ୧୪ ଓ ୧୫ତାରିଖ ଦୁଇଦିନ ଧରି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ୧୬ ତାରିଖ ରବିବାର ଛୁଟି ଥିବା ବେଳେ ୧୭ ରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ ।

୧୮ରେ ସରକାରୀ କାର୍ଯ୍ୟଦିବସ ଥିବାବେଳେ ୧୯ରେ ପ୍ରାଇଭେଟ୍ ମେମ୍ବର୍ସ ବିଜିନେସ୍ ଏବଂ ୨୦ ଓ ୨୧ରେ ବଜେଟ୍ ଉପରେ ସାଧାରଣ ଆଲୋଚନା ଆରମ୍ଭ ହେବ । ୨୨ରୁ ମାର୍ଚ୍ଚ ୬ତାରିଖ ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ବନ୍ଦ ରହିବ।

Related posts