ବାଲୁଗାଁ ମହାବିଦ୍ୟାଳୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

Published: Mar 11, 2025, 8:43 pm IST

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ୧୧ତମ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ମଙ୍ଗଳବାର ଦିନ ମହାବିଦ୍ୟାଳୟର ସଭାଗୃହରେ ପାଳିତ ହୋଇଯାଇଛି। ଉକ୍ତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ସୁବୁଦ୍ଧି ସଭାପତି ଦାୟିତ୍ବ ତୁଲାଇଥିବା ବେଳେ, +୨ ଅଧ୍ୟକ୍ଷ ସୁବାସ ଶ୍ରୀଚନ୍ଦନ ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପିକା ଝରଣା ନାଥ ଅତିଥି ମାନଙ୍କୁ ସ୍ବାଗତ କରି ଶାସ୍ତ୍ରୀୟ ଭାଷାର ଲକ୍ଷଣ, ପ୍ରାଚୀନତା ଓ ଶାସ୍ତ୍ରୀୟ ଭାଷା ଦିବସର ମହତ୍ତ୍ଵ ସଂପର୍କରେ ନିଜର ମତ ଉପସ୍ଥାପନ କରି ଛାତ୍ରଛାତ୍ରୀମାନଙ୍କୁ ଅନୁପ୍ରାଣିତ କରିଥିଲେ।

ଅଧ୍ୟାପକ ଧୋବି ଚରଣ ପରିଡ଼ା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡ. ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ ମଞ୍ଚ ସଂଚାଳନ କରିଥିଲେ। ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଶ୍ରୀଚନ୍ଦନ ଓଡ଼ିଆ ଶାସ୍ତ୍ରୀୟ ଭାଷା ଦିବସର ଯଥାର୍ଥତାକୁ ଉପସ୍ଥାପନା କରିଥିଲେ।ସଭାର ସଭାପତି ଅଧ୍ୟକ୍ଷ ଡ. ଲକ୍ଷ୍ମୀଧର ସୁବୁଦ୍ଧି ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଓଡ଼ିଆ ଭାଷାର ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ ;ଭାଷା ହିଁ ଗୋଟିଏ ଜାତିର ପରିଚୟ।

ମହାବିଦ୍ୟାଳୟର ଅଧ୍ୟାପକ ବିମଳ କୁମାର ପଣ୍ଡା ଏବଂ ବିଶ୍ବଜିତ ଦାସଙ୍କ ସହିତ ବିଭାଗର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସଭା କାର୍ଯ୍ୟକୁ ସାଫଲ୍ଯ ମଣ୍ଡିତ କରିଥିଲେ।ପରିଶେଷରେ ବିଭାଗର ଅଧ୍ୟାପିକା ଶୁଭଦର୍ଶିନୀ ବିଶ୍ବାଳ ଧନ୍ୟବାଦ ପ୍ରଦାନ କରିଥିଲେ।

Related posts