
ନୂଆଦିଲ୍ଲୀ: ଗତ କିଛି ମାସ ଧରି ଚାଲିଥିବା ଆଞ୍ଚଳିକ ପ୍ରତିଯୋଗିତା ଏବଂ ହଜାର ହଜାର ଆବେଦନ ପରେ, ଭାରତର ୧୧ଟି ସହରରୁ ଫାଇନାଲିଷ୍ଟମାନଙ୍କୁ ୱେଭସ୍ ଆନିମେ ଏବଂ ମାଙ୍ଗା ପ୍ରତିଯୋଗିତା (ୱାମ୍!)ର ଜାତୀୟ ଫାଇନାଲରେ ଭାଗ ନେବା ପାଇଁ ଚୟନ କରାଯାଇଛି । ବିଶ୍ୱ ଦୃଶ୍ୟଶ୍ରାବ୍ୟ ଓ ମନୋରଞ୍ଜନ ଶିଖର ସମ୍ମିନଳୀ – ୱେଭସ୍ ଆସନ୍ତା ମେ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହେବ।
ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏମଇଏଆଇ) ସହଯୋଗରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ୱାମ୍! ହେଉଛି ଭାରତର ପ୍ରଥମ ଜାତୀୟ ପଦକ୍ଷେପ ଯାହା ଆନିମେ, ମାଙ୍ଗା, ୱେବଟୁନ ଏବଂ କସପ୍ଲେରେ ମୂଳ ଭାରତୀୟ ଆଇପିଗୁଡ଼ିକର ଆବିଷ୍କାର, ପ୍ରୋତ୍ସାହନ ଏବଂ ପ୍ରଚାର ପାଇଁ ଉତ୍ସର୍ଗୀକୃତ। ଭାରତର ସୃଜନଶୀଳ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ବିଶ୍ୱସ୍ତରୀୟ ନେତା, ଉଦ୍ଭାବକ, ଷ୍ଟୁଡିଓ ଏବଂ ନିର୍ମାତାମାନଙ୍କୁ ଏକାଠି କରିବ। ଏହାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ଏହି ସୃଜନଶୀଳ ପ୍ରୟାସ ଏବଂ ଏହାର ନିର୍ମାତାମାନେ ‘ୱେଭସ୍ ୨୦୨୫’ ଅଭିଯାନରେ ଏକ ବଡ଼ ପରିଚୟ ପାଇବେ। ‘କ୍ରିଏଟ୍ ଇନ୍ ଇଣ୍ଡିଆ, କ୍ରିଏଟ୍ ଫର୍ ଦ ୱାର୍ଲ୍ଡ’ ଲକ୍ଷ୍ୟ ନେଇ ଆୟୋଜିତ ହେଉଥିବା ‘ୱେଭସ୍’ର ଉଦ୍ଦେଶ୍ୟ ହେଉଛି ଭାରତୀୟ ସୃଜନଶୀଳ ନିର୍ମାତାମାନଙ୍କୁ ଅଧିକ ବଡ଼ ସ୍ୱପ୍ନ ଦେଖିବା ଏବଂ ବିଶ୍ୱସ୍ତରୀୟ ଦର୍ଶକଙ୍କ ନିକଟରେ ପହଞ୍ଚିବା ପାଇଁ ସଶକ୍ତ କରିବା। ଏଭିଜିସି-ଏକ୍ସଆର -ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ, କମିକ୍ସ ଏବଂ ଏକ୍ସଟେଣ୍ଡେଡ ରିଅଲିଟି କ୍ଷେତ୍ର ପାଇଁ ୱେଭ୍ସ ହେଉଛି ଭାରତର ସବୁଠାରୁ ବଡ଼ ମଞ୍ଚ। ୱେଭ୍ସର କେନ୍ଦ୍ରରେ ରହିଛି ‘କ୍ରିଏଟ ଇନ ଇଣ୍ଡିଆ ଚ୍ୟାଲେଞ୍ଜସ୍’ (ସିଆଇସି)। ସିଆଇସିର ପ୍ରଥମ ସିଜିନ୍ ପ୍ରାୟ ୧ ଲକ୍ଷ ପଞ୍ଜିକରଣ ସହିତ ଇତିହାସ ସୃଷ୍ଟି କରିଛି, ଯେଉଁଥିରେ ୧୧୦୦ ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀ ଅଛନ୍ତି। ଏକ ବିସ୍ତୃତ ଚୟନ ପ୍ରକ୍ରିୟା ପରେ, ୩୨ଟି ଅନନ୍ୟ ଚ୍ୟାଲେଞ୍ଜ ମଧ୍ୟରୁ ୭୫୦ରୁ ଅଧିକ ଫାଇନାଲିଷ୍ଟଙ୍କୁ ଚୟନ କରାଯାଇଛି।
ଭାରତର ପ୍ରତିଭାସମ୍ପନ୍ନ ନିର୍ମାତାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେବା ଲାଗି ବିଶ୍ୱ ଆନିମେ ବ୍ରାଣ୍ଡ କ୍ରଞ୍ଚିରୋଲ୍ ଟାଇଟଲ୍ ପ୍ରାୟୋଜକ ଭାବେ ୱାମରେ ଯୋଗ ଦେଇଛି । ୱାମ୍ର ବିଜେତାମାନଙ୍କୁ କ୍ରଞ୍ଚି ରୋଲ୍ ନିର୍ମାତା ବିକାଶ ଅନୁଦାନ ଯୋଗାଇ ଦେବ। ଏହା ଆନିମେ, ମାଙ୍ଗା ଏବଂ ୱେବଟୁନ୍ କ୍ଷେତ୍ରର ପ୍ରତିଭାବାନ କଳାକାର ଏବଂ କାହାଣୀକାରମାନଙ୍କୁ ବିଶ୍ୱ ଦର୍ଶକଙ୍କ ପାଇଁ ମୌଳିକ ବୌଦ୍ଧିକ ସମ୍ପତ୍ତି ବିକାଶ ନିମନ୍ତେ ଅନୁଦାନ ଯୋଗାଇ ଦେବ। ମାଙ୍ଗା ଓ ୱେବଟୁନ ପ୍ରତିଯୋଗୀମାନଙ୍କୁ ଛାତ୍ର ଓ ପେସାଦାର ବର୍ଗରେ ଯଥାକ୍ରମେ ୨୫ ହଜାର ଟଙ୍କା ଏବଂ ଆନିମେ ପ୍ରତିଯୋଗୀଙ୍କୁ ଉଭୟ ବର୍ଗରେ ୫୦,୦୦୦ ଟଙ୍କା ଲେଖାଏଁ ଅନୁଦାନ ଦିଆଯିବ ।
ଏହାବ୍ୟତୀତ ୱାମର ବିଜେତାମାନଙ୍କୁ ଟୋକିଓରେ ହେବାକୁ ଥିବା ବିଶ୍ୱର ପ୍ରମୁଖ ଆନିମେ ପ୍ରଦର୍ଶନୀ- ଆନିମେ ଜାପାନ ୨୦୨୬ରେ ଭାଗ ନେବାର ସୁଯୋଗ ମିଳିବ। ସେମାନେ ଏଠାରେ ଭାରତର ପ୍ରତିନିଧିତ୍ୱ କରିବା ସହିତ ବିୱସ୍ତରରେ ଦେଶର ମୌଳିକ ସୃଜନଶୀଳ ପ୍ରତିଭା ପ୍ରଦର୍ଶନ କରିବେ।