
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ, ବ୍ରହ୍ମପୁର ଦ୍ୱାରା ଆଜି ଭି.ଭି ଗିରି ମହିଳା ସରକାରୀ ମାଧ୍ୟମିକ ତାଲିମ ବିଦ୍ୟାଳୟ ଠାରେ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସହ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜାତୀୟ ଆଇନ ସେବାର ବିଭିନ୍ନ ଯୋଜନା ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଇବା ସହ ସେମାନଙ୍କ କର୍ତ୍ତବ୍ୟ ଏବଂ ଅଧିକାର, ବାଲ୍ୟ ବିବାହ କିପରି ରୋକାଯାଇପାରିବ,ଆଇନ ସହାୟତା ନମ୍ବର ୧୫୧୦୦, ଯୋଗର ମୌଳିକ ଉଦ୍ଦେଶ୍ୟ ଆଦି ବିଷୟରେ ସବିଶେଷ ତଥ୍ୟ ସଚିବ ଦେବଶ୍ରୀ ସାହୁ ପ୍ରଦାନ କରିଥିଲେ। ସେହିପରି ଗୋଟେ ଛାତ୍ରୀ ହିସାବରେ କିପରି ବେଆଇନ କୁ ରୋକିପାରିବା ଏବଂ ସମାଜରେ ହେଉଥିବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଆଇନର ମାର୍ଗ କିପରି ଆପଣାଇବା, ଯୋଗଦ୍ୱାରା କ’ଣ ଲାଭ ହୁଏ ଇତ୍ୟାଦି ବିଷୟରେ ପିଲାମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ଆଇନ ସେବା ପ୍ରାଧିକରଣ ସଦସ୍ୟ ଟି.କେ ରେଡ୍ଡୀ। ମୌଳିକ ଅଧିକାର ଏବଂ ବାଧ୍ୟତାମୂଳକ ଶିକ୍ଷା ଉପରେ ଉପସ୍ଥିତ ପିଲାମାନଙ୍କୁ ସବିଶେଷ ତଥ୍ୟ ଦେଇଥିଲେ ଆଇନ ସେବା ପ୍ରାଧିକରଣ ସଦସ୍ୟା ଡ଼ା ମିନାକ୍ଷୀ ଦେବୀ।