ନାକଟିଦେଉଳ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ରେ ବିଦ୍ୟୁତ୍ ଆଘାତରେ ପୁଣି ଏକ ମାଈ ହାତୀର ଜୀବନ ଯାଇଥିବା ଜଣା ପଡିଛି।
ଖବରରୁ ପ୍ରକାଶ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜ ଅଧିନ ଟିକିଲିପଡ଼ା ଗ୍ରାମରେ ଚାଷ ଜମିରେ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ମାଈ ହାତୀର ମୃତ୍ୟୁ ହୋଇଛି। ହାତୀର ବୟସ ପାଖାପାଖି ୧୫ ବର୍ଷ ହେବ ବୋଲି ବନ ବିଭାଗ କହିଛି।
ଖବରରୁ ଜଣା ପଡିଛି ଯେ, ଧାନ ଚାଷକୁ ସୁରକ୍ଷା ଦେବା ପାଇଁ ଟିକିଲିପଡ଼ା ଗ୍ରାମର ଜୈନିକ ଚାଷୀ ଜଣକ ବିଦ୍ୟୁତ୍ ତାର ଟାଣିଥିଲେ। ହାତୀ ଗାଁ କୁ ଆସି କିପରି ଧାନ ଫସଲ ନଷ୍ଟ ନ କରିବ ସେଥିପାଇଁ ସୋଲାର ଲାଇଟ୍ ସଂଯୁକ୍ତ କରିବାକୁ ବନ ବିଭାଗ ପକ୍ଷରୁ ତାଙ୍କୁ ପୂର୍ବରୁ କୁହାଯାଇଥିଲା। କିନ୍ତୁ ଚାଷୀ ଜଣଙ୍କ ତାହା ନ କରି ଶନିବାର ମୁଖ୍ୟ ଲାଇନ୍ରୁ ତାର ଟାଣି ଏଥିରେ ସଂଯୋଗ କରିଥିଲେ। ଯା ଫଳରେ ଗତକାଲି ବିଳମ୍ବିତ ରାତିରେ ହାତୀ ପଲ ଯାଉଥିବା ସମୟରେ ଏହି ତାର ସଂସ୍ପର୍ଶରେ ଆସି ହାତୀ ଟିର ମୃତ୍ୟୁ ହୋଇଥିଲା। ହାତୀ ମୃତ୍ୟୁ ହେବାର ଖବର ପାଇ ତୁରନ୍ତ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ ତାର ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖିଛି।
ନାକଟିଦେଉଳ ରେଞ୍ଜ ଅଧୀନରେ ହାତୀ ମୃତ୍ୟୁ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସଂପୃକ୍ତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି କହି ଛନ୍ତି l ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏ ଘଟଣାର ତଦନ୍ତ ପାଇଁ Chief Conservator of Forest ମନୋଜ ନାୟାରଙ୍କ ନେତୃତ୍ୱରେ ଏକ ଟିମ୍ ଭୁବନେଶ୍ୱରରୁ ନାକଟିଦେଉଳ ଆସି ତଦନ୍ତ କରିଛନ୍ତି। ଘଟଣା ସ୍ଥଳରେ ବନବିଭାଗର ଡ଼ିଏଫ ଓ ଡ଼ଃ ଏଲଭର୍ଶନ କେ , ନାକଟିଦେଉଳ ରେଞ୍ଜ ର ଅଶ୍ବିନୀ କୁମାର ବେହେରା ତଥା ବନ ବିଭାଗର କର୍ମଚାରୀ ଓ ବିଦ୍ୟୁତ୍ ବିଭାଗ ଅଧିକାରୀ ମାନେ ଘଟଣା ସ୍ଥଳକୁ ଯାଇ ଅନୁସନ୍ଧାନ କରିଛନ୍ତି।
ସୂଚନା ଯୋଗ୍ୟ ଥାଉକି ଗୋଟିଏ ବର୍ଷ ମଧ୍ୟରେ ନାକଟିଦେଉଳ ରେଞ୍ଜ ଅଧୀନରେ ଆଜିକୁ ୫ଟି ହାତୀର ମୃତ୍ୟୁ ଘଟିଲାଣି।