ଭୁବନେଶ୍ବର: ଆସନ୍ତାକାଲି ବୁଧବାରରେ କଲେଜ ଛାତ୍ରୀ ମୃତ୍ୟୁକୁ ନେଇ ବିଜେଡି ବନ୍ଦ ଡାକରା ଦେଇଛି। କେବଳ ବାଲେଶ୍ବରରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ବିଜେଡି କର୍ମିମାନେ ବାଲେଶ୍ବର ବନ୍ଦ କରିବା ସହିତ ବିଭିନ୍ନ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବେ। ସେହିପରି ଭୁବନେଶ୍ବରରେ ମଧ୍ୟ ଦଳ ବିକ୍ଷୋଭ ପ୍ରଦର୍ଶନ କରିବ। ହଜାରହଜାର କର୍ମି ଲୋକସେବା ଭବନ ବନ୍ଦ କରିବେ ବୋଲି ଦଳ ତରଫରୁ ଘୋଷଣା କରାଯାଇଛି।
ସରକାରଙ୍କ ଚରମ ଅବହେଳାରୁ ନ୍ୟାୟ ପାଇଁ ଲଢେଇ କରୁଥିବା ଛାତ୍ରୀ ଶେଷରେ ଆତ୍ମହତ୍ୟା କରି ଜୀବନ ହାରିଲା। ସେ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଟୁଇଟ କରିଥିଲେ ମଧ୍ୟ କେହି ତାହା କଥା ଶୁଣିଲେ ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବୀ କରିଛି।
ଅନ୍ୟପଟେ କଂଗ୍ରେସ ମଧ୍ୟ ଓଡିଶା ବନ୍ଦ ଡାକରା ଦେଇଛି। ଆସନ୍ତା ସତର ତାରିଖରେ ଦଳ ତରଫରୁ ସାରା ରାଜ୍ୟ ବନ୍ଦ କରିବ ବୋଲି ଘୋଷଣା କରିଛି। ଫଳରେ ରାଜ୍ୟରେ ବର୍ତ୍ତମାନ ଛାତ୍ରୀ ମୃତ୍ୟୁ ନେଇ ଉତ୍ତେଜନା ଲାଗି ରହିଛି।