କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ପାଞ୍ଚଟି ପର୍ଯ୍ୟାୟରେ ନୂଆଁଖାଇ ପର୍ବ ପାଳନର ପରମ୍ପରା ଆରମ୍ଭ ହୋଇଛି। ଭାଦ୍ରବ ମାସ ଶୁକ୍ଳପକ୍ଷ ପ୍ରଥମୀ ତିଥିରେ ତିନୋଟି ଗ୍ରାମର ୫ ହଜାରରୁ ଅଧିକ ଲୋକ ନୂଆ ଧାନରେ ପ୍ରସ୍ତୁତ ନବାନ୍ନ ଭକ୍ଷଣ କରିଛନ୍ତି। ପରମ୍ପରା ଅନୁସାରେ କଳାହାଣ୍ଡି ଜିଲ୍ଲାରେ ସପ୍ତପୁରୀ ଅମାବାସ୍ୟାଠାରୁ ନୂଆଁଖାଇ ଆରମ୍ଭ ହୋଇ ଦଶମୀ ତିଥିରେ ଶେଷ ହୋଇଥାଏ।
କେସିଙ୍ଗା ବ୍ଲକ ପଥର୍ଲା, ବାହାଦୁରପଦର, ପଲକାପଡ଼ା ଗ୍ରାମର ହଜାର ହଜାର ଲୋକ ନୂଆ ଖାଇଛନ୍ତି । ଗ୍ରାମବାସୀମାନେ ୧୫ ଦିନ ପୂର୍ବରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ନୂଆ ପୋଷାକ, ନୂଆ ଚୁଡ଼ା, ଧାନ, ନୂଆ ହାଣ୍ଡି ଆଦି ସଂଗ୍ରହ କରିଥାନ୍ତି। ପୁରୁଷ ଓ ମହିଳାମାନେ କ୍ଷୀରି, ପିଠା ଓ ମିଷ୍ଟାନ୍ନ ପ୍ରସ୍ତୁତ କରି ଇଷ୍ଟଦେବୀ ଓ ଗ୍ରାମଦେବୀଙ୍କୁ ଅର୍ପଣ କରିବା ପରେ ନବାନ୍ନ ସେବନ କରିଥାନ୍ତି। ଚଳିତବର୍ଷ ମଧ୍ୟ ପାରମ୍ପରିକ ବାଜା ବଜାଇ ଏବଂ ନାଚ ଗୀତ କରି ଜିଲ୍ଲାବାସୀ ନୂଆଁଖାଇ ପର୍ବ ପାଳନ କରିଛନ୍ତି। ନବାନ୍ନ ଖାଇସାରି ସମସ୍ତେ ଜୁହାର ଭେଟ୍ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି।