ପୁରୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ନିର୍ଦ୍ଧାରିତ ତିଥି ଅନୁଯାୟୀ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଳନ କରିବା ପାଇଁ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ପକ୍ଷରୁ ପଶ୍ଚିମବଙ୍ଗ ମାୟାପୁରରେ ଅବସ୍ଥିତ ଇସ୍କନ ପରିଚାଳନା କମିଶନଙ୍କୁ ପୁଣିଥରେ ଅନୁରୋଧ କରାଯାଇଛି। ପୂର୍ବରୁ ଗଜପତି ମହାରାଜା କରିଥିବା ଅନୁରୋଧ ଅନୁଯାୟୀ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା ପାଳନ କରିବାକୁ ଇସ୍କନ ରାଜି ହୋଇଥିଲେ ମଧ୍ୟ ଶ୍ରୀମନ୍ଦିର କମିଟି ଦ୍ୱାରା ନିର୍ଦ୍ଧାରିତ ତିଥିରେ ଭାରତ ବାହାରେ ରଥଯାତ୍ରା ପାଳନ ପାଇଁ ରାଜି ହୋଇନଥିଲେ।
ଏ ସମ୍ପର୍କରେ ଇସ୍କନ କମିଶନ ପକ୍ଷରୁ ଚିଠି ପାଇବା ପରେ ଗଜପତି ମହାରାଜା ତାଙ୍କୁ ପୁଣି ଏକ ପତ୍ର ଲେଖି ତାହାର ପୁନର୍ବିଚାର ପାଇଁ ଅନୁରୋଧ କରିଛନ୍ତି। ପବିତ୍ର ଶାସ୍ତ୍ର ଏବଂ ପୁରାତନ ପାରମ୍ପରିକ ରୀତିର ସମ୍ମାନ ରଖି ସମସ୍ତ ଦେଶର ଇସ୍କନ ମନ୍ଦିରଗୁଡିକରେ ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରୁ ୯ ଦିନ ବ୍ୟାପୀ ରଥଯାତ୍ରା ପାଳନ କରିବା ସକାଶେ ମହାରାଜାଙ୍କ ପକ୍ଷରୁ ପୁଣିଥରେ ଅନୁରୋଧ କରାଯାଇଛି।