ବାଲୁଗାଁ: ଗୁରୁବାର ସକାଳେ ବାଲୁଗାଁ ଗାନ୍ଧି ଛକ ନିକଟରେ କିନ୍ନର ଓ ଦିନ ମଜୁରିଆ ହତାହାତି ଫଳରେ ଉଭୟ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଖବର ମୁତାବକ ସବୁ ଦିନ ପରି ଆଜି ସକାଳେ ମଧ୍ୟ ଶ୍ରମିକମାନେ ବାଲୁଗାଁ ଗାନ୍ଧି ଛକ ନିକଟରେ କାମ ଅପେକ୍ଷାରେ ବସିଥିଲେ। ହେଲେ ହଠାତ ଜଣେ ଅଜଣା ବ୍ୟକ୍ତି ଦିନ ମଜୁରିଆ ଜାନକୀ ବଲ୍ଲଭ ମିଶ୍ରଙ୍କ ସହ ଯୁକ୍ତିତର୍କ କରୁଥିବା ବେଳେ ହଠାତ କିଛି କିନ୍ନର ସେଠାକୁ ଆସି ବଚସା କରିଥିଲେ।
ବଚସା କ୍ରମଶଃ ଉଗ୍ରରୂପ ଧାରଣ କରିଥିବା ବେଳେ କିନ୍ନର ଏବଂ ଜାନକୀଙ୍କ ମଧ୍ୟରେ ହତାହାତି ହୋଇଥିଲା। ସେଠାରେ ସମସ୍ତେ କିଛି ବୁଝିବା ପୂର୍ବରୁ ନିରବଦ୍ରଷ୍ଟା ସାଜିଥିବା ବେଳେ ଜୀବନ ବିକଳରେ ମଜୁରିଆ ଜଣକ କେଉଁ ଆଡେ ଚାଲିଯାଇଥିଲା।
ତେବେ ପରିବାର ଲୋକେ ଏକ ବିଲରୁ ତାଙ୍କୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ମାତ୍ର ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦୁଇ ଜଣ କିନ୍ନର ଆହତ ହୋଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେବାପରେ ବାଲୁଗାଁ ଥାନାରେ ଏନେଇ ଏତଲା ଦେଇଛନ୍ତି। ଅପରପକ୍ଷରେ ଦିନ ମଜୁରିଆଙ୍କ ସ୍ତ୍ରୀ ନମିତା ମିଶ୍ର ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସୂଚନା ଥାଉକି ଦିନ ମଜୁରିଆ ଜାନକୀଙ୍କ ଘର ନିରାକାରପୁର ଚନ୍ଦ୍ରଗାଁ ପାଟପୁର ହୋଇଥିବା ବେଳେ ଦୀର୍ଘ ୧୮ ବର୍ଷ ଧରି ବାଣପୁର ବିଶରପାଟଣା ଅଞ୍ଚଳରେ ଭଡା ସୂତ୍ରରେ ରହୁଥିଲେ। ତାଙ୍କର ଦୁଇଟି ଝିଅ (୧୬ ବର୍ଷ ଓ ୧୩ ବର୍ଷ) ଏବଂ ସ୍ତ୍ରୀ ଥିବାବେଳେ ଦିନ ମଜୁରୀ କାମ କରି ପରିବାର ପୋଷଣ କରୁଥିଲେ। ମାତ୍ର ଜାନକୀଙ୍କ ଏଭଳି ଅବସ୍ଥା ଦେଖି ପରିବାର ଭାଙ୍ଗି ପଡିଛନ୍ତି।


