ଆଜି ଲୋକସଭାରେ ଉପସ୍ଥାପନ ହୋଇଛି ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍। ଏହି ବିଲ୍କୁ ଗତକାଲି ରାଜ୍ୟସଭାରେ ମଞ୍ଜୁରୀ ମିଳିସାରିଛି।ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ ଗତକାଲି ଉଚ୍ଛେଦ କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଥିଲେ। ରାଜ୍ୟସଭାର ଅନୁମୋଦନ ପରେ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିବା ଓ ଧାରା ୩୭୦ ଧାରାକୁ ଉଚ୍ଛେଦ କରିବା ପାଇଁ ପ୍ରସ୍ତାବିତ ବିଲ୍ ଆଜି ଲୋକସଭାରେ ଆଗତ ହୋଇଛି। ବିରୋଧଙ୍କ ହଟ୍ଟଗୋଳ ମଧ୍ୟରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ ଆଗତ କରିଛନ୍ତି। ଅମିତ୍ ଶାହା ବିଲ୍ ଉପସ୍ଥାପନ କରି ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେ ବି ଆମର ବୋଲି କହିଛନ୍ତି। ଶ୍ରୀ ଶାହ କହିଛନ୍ତି, “ଜମ୍ମୁ-କଶ୍ମୀର ହେଉଛି ଭାରତର ଅଭିନ୍ନ ଅଙ୍ଗ। ପିଓକେ ମଧ୍ୟ ଏହା ମଧ୍ୟରେ ଆସୁଛି। ଆମେ କଶ୍ମୀର ପାଇଁ ଜୀବନ ଦେବାକୁ ପ୍ରସ୍ତୁତ। କଶ୍ମୀର ସମସ୍ୟାର ସମାଧାନ ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି । କଂଗ୍ରେସର ମନୀଷ ତିୱାରୀ ଏହାକୁ ବିରୋଧ କରିଛନ୍ତି। ବର୍ତ୍ତମାନ ଏହି ଉପରେ ଲୋକସଭାରେ ବିତର୍କ ଚାଲିଛି।