ଭାରତୀୟ କ୍ରିକେଟର ‘ଦ ଓ୍ବାଲ୍’ ରାହୁଲ୍ ଦ୍ରାବିଡଙ୍କୁ ବିସିସିଆଇର ସମନ ନେଇ ଅନେକ ପୁରୁଣା ଖେଳାଳି କ୍ଷୋଭ ପ୍ରକାଶ କରିଛନ୍ତି । ପୂର୍ବତନ ଖେଳାଳି ସୌରଭ ଗାଙ୍ଗୁଲି ଏବଂ ହରଭଜନ ସିଂ ଦ୍ରାବିଡଙ୍କ ସମର୍ଥନରେ ଟ୍ବିଟ୍ କରିଛନ୍ତି । ଦ୍ରାବିଡ୍ ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ରହିଥିବା ବେଳେ ଇଣ୍ଡିଆ ସିମେଣ୍ଟର ଆମ୍ବାସାଡର ରହିଛନ୍ତି । ଏହି ମାମଲାକୁ ଦ୍ବୈତ ସ୍ବାର୍ଥ ମାମଲା ବୋଲି ଅଭିଯୋଗ କରି ମଧ୍ୟପ୍ରଦେଶ କ୍ରିକେଟ୍ ସଂଘର ସଦସ୍ୟ ସଞ୍ଜୀବ ଗୁପ୍ତାଙ୍କ ପକ୍ଷରୁ ଅଭିଯୋଗ ଅଣାଯାଇଥିଲା । ଅଭିଯୋଗର ବିଚାର କରି ଡି କେ ଜୈନ୍ ଦ୍ରାବିଡଙ୍କୁ ଏକ ନୋଟିସ୍ ପଠାଇଛନ୍ତି । ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଗାଙ୍ଗୁଲି କହିଛନ୍ତି, ଖବରରେ ରହିବା ନିମନ୍ତେ ଦ୍ବୈତ ସ୍ବାର୍ଥ ମାମଲା ଏକ ଫ୍ୟାସନ୍ରେ ପରିଣତ ହୋଇଗଲାଣି । ଦ୍ରାବିଡଙ୍କ ପରି ଖେଳାଳିଙ୍କୁ ଏହି ନୋଟିସ୍ ମିଳିବା ପରେ ବର୍ତ୍ତମାନ ଭଗବାନ କେବଳ ଭାରତୀୟ କ୍ରିକେଟକୁ ବଞ୍ଚାଇ ପାରିବେ ବୋଲି ଟ୍ବିଟ୍ କରିଛନ୍ତି ସୌରଭ୍ । ହରଭଜନ ସିଂ ମଧ୍ୟ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । ଭାରତୀୟ କ୍ରିକେଟ ନିମନ୍ତେ ଦ୍ରାବିଡଙ୍କ ଅତୁଳନୀୟ । ଏପରି କିମ୍ବଦନ୍ତୀ ଖେଳାଳିଙ୍କୁ ନୋଟିସ୍ ପଠାଇବା ସେମାନଙ୍କ ପ୍ରତି ଅପମାନ ବୋଲି ଭଜ୍ଜି ଟ୍ବିଟ୍ କରିଛନ୍ତି ।
ଦ୍ବୈତ ସ୍ବାର୍ଥ ମାମଲା : ଦ୍ରାବିଡଙ୍କୁ ବିସିସିଆଇର ସମନ ନେଇ ପୁରୁଣା ଖେଳାଳିଙ୍କ ଅସନ୍ତୋଷ
Published:
Aug 8, 2019, 4:48 pm IST
Tags: