(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଦିଗପହଣ୍ଡି ଥାନା ଅର୍ନ୍ତଗତ ଘୋଡ଼ା ମୁହଁ ଛକ ନିକଟରେ ଦୁଇଟି ମୋଟର ସାଇକେଲ ମୁହାଁମୁହିଁ ଧକ୍କା ଫଳରେ ନିକଟସ୍ଥ ପନାଡ ଗ୍ରାମର ସୁଶାନ୍ତ ଗୌଡ ନାମକ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସେହି ଗ୍ରାମର ସିଲୁ ଗୌଡ ଓ ବ୍ରହ୍ମପୁର ସଦର ଥାନା ଅଞ୍ଚଳର ହୀନ ବେହେରା ଓ ଶିବ ବେହେରା ନାମକ ତିନି ଜଣ ଯୁବକ ଗୁରୁତର ଆହତ ହୋଇ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ, ଲୋକ ପ୍ରତିନିଧି ଓ ରାଜନୈତିକ ବ୍ୟକ୍ତିବିଶେଷ ଘଟଣାସ୍ଥଳରେ ପହଞ୍ଚି ପ୍ରଶାସନର ଅବହେଳାକୁ ଦାୟୀ କରି ରାସ୍ତାରୋକ କରିଥିଲେ ଓ ଯାନବାହାନ ଚଳାଚଳରେ ବାଧାପ୍ରାପ୍ତ ହେବାରୁ ତହସିଲଦାର, ଥାନା ଅଧିକାରୀ ଓ ପୁର୍ତ୍ତ ବିଭାଗ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।


