ଭୁବନେଶ୍ବର: ବିଦେଶ ମାଟିରେ ପୁଣି ଓଡିଆ ଚଳଚିତ୍ରକୁ ମିଳିଛି ସମ୍ମାନ। ଶ୍ରୀଲଙ୍କାରେ ଆୟୋଜିତ କ୍ଷୁଦ୍ର ଚଳଚିତ୍ର ଉତ୍ସବରେ ପୁରସ୍କୃତ ହୋଇଛି ଓଡିଆ ଚଳଚିତ୍ର ଗୋଟିଏ ଫୁଲ କୋଟିଏ କଥା। ଏହି ଚଳଚିତ୍ରଟି ଚାରିଟି ବିଭାଗରେ ଶ୍ରେଷ୍ଠତ୍ବ ପ୍ରମାଣିତ କରି ପୁରସ୍କୃତ ହୋଇଛି। ତାହା ହେଲା ଶ୍ରେଷ୍ଠ ପ୍ରଯୋଜକ ଭାବେ ଦିଲ୍ଲୀପ ହାଲି, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାଜଗୋପାଳ ସିଂ, ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ବିକାଶ ଦାଶ ଏବଂ ଶ୍ରେଷ୍ଠା ଚିତ୍ରନାଟ୍ୟ ଶୁଭେନ୍ଦୁ ମହାନ୍ତି।
ଏହି ଉତ୍ସବରେ 120 ଟି ଦେଶରୁ ବିଭିନ୍ନ କ୍ଷୁଦ୍ର ଚଳଚିତ୍ର ସ୍ଥାନ ପାଇଥିଲା। ସେଗୁଡିକ ମଧ୍ୟରେ ବିଭିନ୍ନ ବର୍ଗ ପାଇଁ ଶ୍ରେଷ୍ଠ ପୁରସ୍କାର ବଛାଯାଇଥିଲା। ଯେଉଁଥିରେ ଏହି ଓଡିଆ ଚଳଚିତ୍ରଟି ପୁରସ୍କୃତ ହୋଇଛି। ଦଶ ମିନିଟ ଅବଧିର ଏହି ଚଳଚିତ୍ରଟି ପରିବେଷ ସଚେତନତା ଉପରେ ଆଧାରିତ। ଯାହା ଜୁରି ସଦସ୍ୟଙ୍କୁ ବେଶ ଆକୃଷ୍ଠ କରିଥିଲା। ପୂର୍ବରୁ ଏହି ଚଳଚିତ୍ର କେରଳ ଓ ଗୋଆ ରେ ପ୍ରଦର୍ଶିତ ହୋଇ ପ୍ରଶଂସିତ ହୋଇଛି।


