ନୂଆଦିଲ୍ଲୀ: ଦେଶର ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ତଥା ଏସ୍ଆଇଆର୍ ପ୍ରକ୍ରିୟା ବିରୋଧରେ ସ୍ୱର ଉତ୍ତୋଳନ କରିଆସୁଥିବା କକ୍ରୋଚ୍ ଜନତା ପାର୍ଟି (ସିଜେପି) ଶନିବାର ଦିଲ୍ଲୀର ଜନ୍ତରମନ୍ତରଠାରେ ବଡ଼ଧରଣର ଆନ୍ଦୋଳନ କରିବ। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟକ ଜେନ୍-ଜି ବର୍ଗର ହିତାଧିକାରୀ ସାମିଲ ହେବେ ବୋଲି ଅନୁୂମାନ କରାଯାଉଛି। ତେବେ ଏଥିପାଇଁ ସିଜେପି ପକ୍ଷରୁ ଅନୁମତି ମଗାଯାଇଥିବା ସତ୍ତ୍ୱେ ଦିଲ୍ଲୀ ପୁଲିସ ଅନୁମତି ଦେଇନାହିଁ। ଦିଲ୍ଲୀ ପୁଲିସର ଯୁଗ୍ମ କମିଶନର ନୂପୁର ପ୍ରସାଦଙ୍କ କହିବା ଅନୁଯାୟୀ, ଜନ୍ତରମନ୍ତରରେ ପ୍ରତିବାଦ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମ ପାଇଁ ଅତି କମ୍ରେ ୧୦ ଦିନ ପୂର୍ବରୁ ଆବେଦନ କରିବା ଆବଶ୍ୟକ। କିନ୍ତୁ ସିଜେପି ପକ୍ଷରୁ ଅକ୍ଟୋବର ୭ ତାରିଖରେ ଆବେଦନ କରାଯାଇଥିବାରୁ ପୁଲିସ ଏହାକୁ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବ ବୋଲି କହିଛି। ଏହା ସହିତ ପୂର୍ବରୁ ଆୟୋଜିତ ପ୍ରତିବାଦ ସମୟରେ ପୁଲିସର ନିର୍ଦ୍ଦେଶ ଓ ନିୟମ ପାଳନ କରାଯାଇନଥିବା ଅଭିଯୋଗ ମଧ୍ୟ ଅନୁମତି ପ୍ରତ୍ୟାଖ୍ୟାନର ଏକ କାରଣ ବୋଲି କୁହାଯାଇଛି। ଏଥିସହ ଜନ୍ତରମନ୍ତର ଅଞ୍ଚଳରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ଧାରା ୧୬୩ ଅନୁଯାୟୀ କଟକଣା ମଧ୍ୟ ଲାଗୁ ରହିଛି। ଏହାସତ୍ତ୍ୱେ ସିଜେପି ପ୍ରତିବାଦ ତଥା ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ସିଜେପିର ପ୍ରତିଷ୍ଠାତା ଅଭିଜିତ୍ ଦୀପ୍କେ ଏବଂ ଅନ୍ୟ ସାଂଗଠନିକ କର୍ମକର୍ତ୍ତାମାନେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏମାନଙ୍କ କହିବାନୁସାରେ ସେମାନଙ୍କ ଆସନ୍ତାକାଲି ଗିରଫ କରାଯିବ ବୋଲି ସେମାନେ ବେଶ୍ ଭଲଭାବେ ଜାଣିଛନ୍ତି, ଏବଂ ଏଥିପାଇଁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ମଧ୍ୟ ଅଛନ୍ତି।
ଏସବୁ ମଧ୍ୟରେ ସିଜେପିର ପ୍ରତିବାଦକୁ ଅନୁମତି ନଦେବା ଏବଂ ଯାତାୟାତ ଉପରେ କଟକଣାକୁ ଚ୍ୟାଲେଞ୍ଜ କରି କିଛି ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଛି ଯେ, ପ୍ରତିବାଦରେ ଯୋଗ ନଦେଉଥିବା ସାଧାରଣ ଲୋକଙ୍କ ଯାତାୟାତକୁ ମଧ୍ୟ ଏଭଳି କଟକଣା ପ୍ରଭାବିତ କରିପାରେ। ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ପ୍ରତିବାଦକାରୀଙ୍କ ଅଧିକାର ଓ ସାଧାରଣ ନାଗରିକଙ୍କ ସୁବିଧା ମଧ୍ୟରେ ସନ୍ତୁଳନ ରଖିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି। ମେଟ୍ରୋ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ପରିବର୍ତ୍ତେ ନିୟନ୍ତ୍ରିତ ଯାତାୟାତ ବ୍ୟବସ୍ଥା ସମ୍ପର୍କରେ ବିଚାର କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ତେବେ ଏହି ଅବସରରେ ସୁପ୍ରିମକୋର୍ଟ ଏକ ବଡ଼ ବୟାନ୍ ମଧ୍ୟ ଦେଇଛନ୍ତି। ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲା ବାଗ୍ଚୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କ କହିବାନୁସାରେ ‘ମାଛିକୁ ମାରିବା ପାଇଁ ହାତୁଡ଼ିର ବ୍ୟବହାର କରାଯାଇପାରିବନି। ସିଜେପିର ଆନ୍ଦୋଳନ ସମୟରେ ଟ୍ରେନ୍ ଚଳାଚଳ ବନ୍ଦ ରଖାଯିବା ତଥା ଯାନବାହାନ ଚଳାଚଳକୁ ସୀମିତ କରାଯିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏପରି କହିଛନ୍ତି।
ଅନ୍ୟପକ୍ଷେ ସିଜେପିର ପ୍ରସ୍ତାବିତ ଏହି ପ୍ରତିବାଦକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଇନଶୃଙ୍ଖଳା, ଜନସାଧାରଣଙ୍କ ସୁରକ୍ଷା ଓ ଯାତାୟାତ ନିୟନ୍ତ୍ରଣକୁ ଗୁରୁତ୍ୱ ଦେଇ ପୁଲିସ ଏହି ନିଷ୍ପତ୍ତି ନେଇଛି। ରିପୋର୍ଟ ଅନୁସାରେ ପ୍ରାୟ ୪୫ରୁ ଅଧିକ ମେଟ୍ରୋ ଟ୍ରେନ୍ଗୁଡ଼ିକର ଚଳାଚଳକୁ ବନ୍ଦ ରଖାଯାଇଛି। ଅଧିକାଂଶ ପ୍ରାନ୍ତରେ ଆସନ୍ତା ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖିବାକୁ ମଧ୍ୟ ଦିଲ୍ଲୀ ପୁଲିସ୍ ନିଷ୍ପତ୍ତି ନେଇଛି। ସେହିପରି ଜନ୍ତରମନ୍ତର ସହ ଅଧିକାଂଶ ପ୍ରାନ୍ତରେ ସୁରକ୍ଷା ବ୍ୟବସ୍ଥାକୁୂ କଡ଼ାକଡି କରିଦିଆଯାଇଛି। ନିର୍ଦ୍ଧାରିତ ଦୂରତାରେ ବ୍ୟାରିକେଡ୍ ଲଗାଯିବା ସହ ଯାଞ୍ଚ୍ ବ୍ୟବସ୍ଥା ପାଇଁ ପ୍ରସ୍ତୁତି କରାଯାଇଛି। ଦିଲ୍ଲୀ ପୁଲିସ୍ ସହ ଅର୍ଦ୍ଧସାମରିକ ବଳର ଯବାନମାନେ ମଧ୍ୟ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ରହିଛନ୍ତି। କେତେକ ମାର୍ଗରେ ଟ୍ରାଫିକ୍ ସମସ୍ୟା ଉତ୍ପନ୍ନ ହୋଇପାରେ ବୋଲି ଆଶଙ୍କା କରି ବିକଳ୍ପ ମାର୍ଗ ବାଛିବାକୁ ଦିଲ୍ଲୀ ପୁଲିସ୍ ଜନସାଧାରଣଙ୍କୁ ଅନୁରୋଧ କରିଛି। ମୋଟାମୋଟି ସିଜେପି ପକ୍ଷରୁ ପ୍ରତିବାଦ ଜାରି ରଖିବାର ସଙ୍କେତ ଦିଆଯାଇଥିବାବେଳେ ପୁଲିସ ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଚେତାବନୀ ଦେଇଛି। ଏହି ପରିସ୍ଥିତିରେ ଦିଲ୍ଲୀରେ ସୁରକ୍ଷା, ସାଧାରଣ ଯାତାୟାତ ଓ ଗଣତାନ୍ତ୍ରିକ ପ୍ରତିବାଦର ଅଧିକାରକୁ ନେଇ ବିତର୍କ ଜାରି ରହିଛି।
ପ୍ରକାଶ ବିରୋଧୀ ଦଳଙ୍କ ପକ୍ଷରୁ କରାଯାଇଆସୁଥିବା ଏସ୍ଆଇଆର୍ ପ୍ରତ୍ୟାହାର ଏବଂ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ମଧ୍ୟରେ ସିଜେପି ମଧ୍ୟ ଏହି ଦୁଇ ପ୍ରସଙ୍ଗ ନେଇ ଏବେ ସରକାରଙ୍କୁ ଘେରିବା ଆରମ୍ଭ କରିଛି। ସିଜେପି ଏବଂ ବିରୋଧୀ ଦଳଙ୍କ ଅଭିଯୋଗ ହେଉଛି, ଭୋଟର ତାଲିକାରୁ ବହୁ ସଂଖ୍ୟକ ନାମ ବାଦ୍ ପଡ଼ିବା ଫଳରେ ଯୋଗ୍ୟ ନାଗରିକମାନେ ଭୋଟ ଦେବାର ଅଧିକାର ହରାଇବାର ଆଶଙ୍କା ରହିଛି। ସେମାନେ ଏହି ପ୍ରକ୍ରିୟାକୁ ବନ୍ଦ କରିବା, ପୂର୍ବରୁ ଥିବା ଭୋଟର ତାଲିକା ଆଧାରରେ ନିର୍ବାଚନ କରାଇବା ଏବଂ ନିର୍ବାଚନ ଆୟୋଗର କାର୍ଯ୍ୟପ୍ରଣାଳୀରେ ଜବାବଦେହିତା ନିଶ୍ଚିତ କରିବାକୁ ଦାବି କରୁଛନ୍ତି। ତେବେ ନିର୍ବାଚନ ଆୟୋଗ ଓ ବିଜେପି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।


