Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ
ଜାତୀୟ ଖବର

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026No Comments7 Mins Read
Share Facebook Twitter LinkedIn Email WhatsApp Copy Link
ଇସ୍ରାଏଲ-ଇରାନ ଯୁଦ୍ଧ
ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

ଡ ସନ୍ତୋଷ କୁମାର ମହାପାତ୍ର

ଆମେରିକା ଏକ ସାମ୍ରାଜ୍ୟବାଦୀ ଦେଶ ଏବଂ ତାହାର ଶତ୍ରୁ ବା ମିତ୍ର କେହି ନୁହଁନ୍ତି। ସର୍ବଦା ନିଜର ଆଧିପତ୍ୟ ଓ ପ୍ରଭୁତ୍ଵ ଜାହିରିକରିବା ପାଇଁ ପ୍ରୟାସ କରିଥାଏ। ଯିଏ ତାହାର ଆଧିପତ୍ୟ ସ୍ଵୀକାର ନକଲା ତାକୁ ମାରିଦେବାକୁ ପଛାଏ ନାହିଁ। କାହାକୁ ହତ୍ୟା କରିବା, ବନ୍ଦୀ ବନାଇବା ବା କେଉଁ ଦେଶ ଉପରେ ଆକ୍ରମଣ କରିବା ଏହା ଅମେରିକାର ପବୃତ୍ତି। କିନ୍ତୁ ଆମେରିକାର ଯେତିକି ରାଷ୍ଟ୍ରପତି ରହିଛନ୍ତି , ଯଦି ସବୁଠାରୁ କିଏ ଅଧିକ ପ୍ରତିଶୋଧପରାୟଣ, ଅଯୌକ୍ତିକ, ଏକଛତ୍ରବାଦୀ, ମନମୁଖୀ, ଅଗଣତାନ୍ତ୍ରିକ, ଅନୈତିକ– ତେବେ ଡୋନାଲ୍ଡ ଟ୍ରମ୍ଫ ସର୍ବାଗ୍ରେ ରହିବେ। ମନରେ ପ୍ରଶ୍ନ ଉଠେ କିପରି ଶିକ୍ଷିତ ଆମେରିକାବାସୀ ଏହିପରି ଲୋକଙ୍କୁ ରାଷ୍ଟ୍ରପତି ଭଳି ଆସନରେ ବସାଇଛନ୍ତି। ଏପରିକି କିଛି ଅମେରିକାବାସୀ ଏପରିକି ନିଜ ଦଳର ଲୋକ ଟ୍ରମ୍ପଙ୍କୁ ପାଗଳ କହିବାକୁ ପଛାଉ ନାହାଁନ୍ତି।

ଇରାନ ଉପରେ ଆକ୍ରମଣ କରିବାର ଆମେରିକାର ଲକ୍ଷ୍ୟ ହେଉଛି ଇରାନରେ ଶାସନ ପରିବର୍ତ୍ତନ, ଆଣବିକ କ୍ଷମତା ଓ ତୈଳ ସମ୍ପଦର ଉପରେ ନିୟନ୍ତ୍ରଣ। ତେଣୁ, ଆମେରିକା ଏବଂ ଇସ୍ରାଏଲ ୨୮ ଫେବୃଆରୀରେ ଇରାନ ଉପରେ ମିଳିତ ଭାବେ ଆକ୍ରମଣ କରିବା କିଛି ଆଶ୍ଚର୍ଯ୍ୟଜନକ ନଥିଲା। ଇରାନ ଏହାର ଜବାବରେ ନିଜର ପ୍ରତିଆକ୍ରମଣ କରି ମାର୍ଚ୍ଚ ୨ ରେ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ମଧ୍ୟରୁ ଗୋଟିଏ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଲା। ସମୁଦ୍ରର ବିସ୍ତୀର୍ଣ୍ଣ ଜଳରାଶିରେ ଏହି ପ୍ରଣାଳୀ ଏ ବିଶ୍ଵ ବାଣିଜ୍ୟକୁ ବେଶ ପ୍ରଭାବିତ କରିଥାଏ। ବିଶ୍ୱର ପ୍ରାୟ ୨୦% ତୈଳ ପ୍ରବାହ (ପ୍ରାୟ ୨୦ ନିୟୁତ ବ୍ୟାରେଲ ପ୍ରତିଦିନ), ଏହି ପ୍ରଣାଳୀ ଦେଇ ଗତି କରେ। ଏହି ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ଯୋଗୁଁ ଦୈନିକ ଜାହାଜ ପରିବହନ, ଯାହା ସଂଘର୍ଷ ପୂର୍ବରୁ ହାରାହାରି ୧୨୦ ଥିଲା,ତାହା ହ୍ରାସ ପାଇ ପାଞ୍ଚରୁ କମ୍ ହୋଇଗଲା। ଏହି ପ୍ରଣାଳୀ ଦେଇ ସେମାନଙ୍କର ତେଲ ରପ୍ତାନି କରୁଥିବା ଅନେକ ଆରବ ତୈଳ କମ୍ପାନୀ ଉତ୍ପାଦନ ହ୍ରାସ କଲେ। ଏହି ହର୍ମୁଜ୍ ପ୍ରଣାଳୀ ଯେପର୍ଯ୍ୟନ୍ତ ନ ଖୋଲିଛି ଓ ଯୁଦ୍ଧ ବନ୍ଦ ନହୋଇଛି। ଆମେରିକା, ଇରାନ , ଭାରତ ଓ ସାମଗ୍ରିକ ଭାବେ ବିଶ୍ଵ ଅର୍ଥନୀତି ପ୍ରଭାବିତ ହେବ।

ଏହି ଯୁଦ୍ଧର ସବୁଠାରୁ କୁପ୍ରଭାବ ପଡିବ ଭାରତ ସମେତ ବିଶ୍ଵର ତୈଳ ଅର୍ଥନୀତି ଉପରେ। ଏମିତି ସାମଗ୍ରିକ ଭାବେ ବିଶ୍ଵ ଓ ଭାରତୀୟ ଅର୍ଥନୀତି ଉପରେ କୁପ୍ରଭାବ ପଡିବା ସ୍ଵାଭାବିକ। ଉଭୟ ଆମେରିକା ଓ ଇରାନ ପ୍ରଭାବିତ ହେବା ସ୍ଵାଭାବିକ । ଇରାନର ଭିତ୍ତିଭୂମି ଉପରେ ଆକ୍ରମଣ ପୂର୍ବରୁ , ୨୭ ଫେବୃଆରୀ ୨୦୨୬ ରେ, ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ପ୍ରାୟ ପ୍ରତି ବ୍ୟାରେଲ ପିଛା $୭୨.୯୪ ଥିଲା। ଏପ୍ରିଲ ୨୦୨୬ ଆରମ୍ଭରରେ, ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ପ୍ରାୟ ୫୦% ବୃଦ୍ଧି ପାଇଛି। ପ୍ରତି ବ୍ୟାରେଲ ମୂଲ୍ୟ $୧୦୯-$୧୧୧ ପାଖାପାଖି କିମ୍ବା ତା’ଠାରୁ ଅଧିକ ସ୍ତରରେ ରହିଛି। କିଛି ବିଶ୍ଳେଷକଙ୍କ ମତରେ ଯଦି ଯୋଗାଣ ବାଧା ଜାରି ରହେ, ବିଶେଷକରି ହର୍ମୁଜ୍ ପ୍ରଣାଳୀ ପରି ପ୍ରମୁଖ ରାସ୍ତା ପାଖରେ, ମୂଲ୍ୟ ଆହୁରି $୧୫୦ କିମ୍ବା $୨୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଭାରତ ପାଇଁ ତୈଳ ମୂଲ୍ୟ ବୃଦ୍ଧି ଅତ୍ୟନ୍ତ ଚିନ୍ତାଜନକ, କାରଣ ୮୫% ତେଲ ଆମଦାନୀ କରେ। ତାହା ନିଶ୍ଚିତ ଭାବରେ ତୈଳ ଯୋଗାଣକୁ ପ୍ରଭାବିତ କରିବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି ଏହି ଯୁଦ୍ଧ କେତେ ଦିନ ଲାଗି ରହିବ? ୨୦୨୬ ଏପ୍ରିଲ୍ ଆରମ୍ଭରେ, ଯୁଦ୍ଧ ଜନିତ ଅଶୋଧିତ ତୈଳ ମୂଲ୍ୟବୃଦ୍ଧି ଯୋଗୁଁ, ତୈଳ ଆମଦାନୀପାଇଁ ଅଧିକ ଆମେରିକୀୟ ଡଲାର ଆବଶ୍ୟକ ହେବାରୁ , ଭାରତୀୟ ଟଙ୍କାର ମୂଲ୍ୟ ଡଲାର ଅନୁସାରେ ରେକର୍ଡ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। କାରଣ ଯୋଗାଣ ଅନୁସାରେ ଡଲାରର ଚାହିଦା ଅଧିକ ହେଲେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଏ। ଏହା ଫେବୃଆରୀ ୨୦୨୨ ରେ ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ସମୟରେ ୧ ଡଲାରର ବିନିମୟ ମୂଲ୍ୟ ୭୫-୭୬ଟଙ୍କା ଥିଲା। ୨୦୨୬ ଫେବୃଆରୀ ୨୮ରେ ପ୍ରାୟ ୯୧.୦ – ୯୧.୦୮ଟଙ୍କା ଥିଲାବେଳେ ମାର୍ଚ୍ଚ ୩୦ ରେ ୯୫ଟଙ୍କାକୁ ହ୍ରାସ ପାଇଥିଲା।

ରିଜର୍ଭ ବ୍ୟାଙ୍କ ଡଲାର ବିକ୍ରୟ କରି ଡଲାର ଯୋଗାଣ ବୃଦ୍ଧି କରିବାରୁ ୫ ଏପ୍ରିଲ ୨୦୨୬ରେ, ପ୍ରତି ଆମେରିକୀୟ ଡଲାର ମୂଲ୍ୟ ପ୍ରାୟ ୯୩.୨ ରୁ ୯୪.୮୬ ଥିଲା। କିନ୍ତୁ ଡଲାର ଯୋଗାଣ ବୃଦ୍ଧି କରି ଟଙ୍କାର ମୂଲ୍ୟ ହ୍ରାସ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ୍ ଡଲାର ବିକ୍ରୟ କରିବାରୁ ବୈଦେଶିକ ବିନିମୟ ମୁଦ୍ରା ହ୍ରାସପାଇଛି। ଟଙ୍କା ବର୍ତ୍ତମାନ ଦକ୍ଷିଣ ଏସିଆର ସବୁଠାରୁ ଦୁର୍ବଳ ମୁଦ୍ରା। ଯଦି ଇରାନ ଯୁଦ୍ଧ ଜାରି ରହେ, ତେବେ ଟଙ୍କା ଆହୁରି ଦୁର୍ବଳ ହୋଇପାରେ ଏବଂ ଆମେରିକୀୟ ଡଲାର ତୁଳନାରେ ୧୦୦ ଛୁଇଁପାରେ।

ଯୁଦ୍ଧ ଯୋଗୁଁ ଷ୍ଟକମାର୍କେଟ ମଧ୍ୟ ଦ୍ରୁତଗତିରେ ପ୍ରଭାବିତ ହୋଇଛି। ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଫେବୃଆରୀ ୨୭ରେ ସେନସେକ୍ସ ୮୧,୧୫୯.୧୫ ଥିଲା। ୫ ଏପ୍ରିଲ ୨୦୨୬ ସୁଦ୍ଧା ଏହା ୭୪,୨୪୮କୁ ହ୍ରାସ ପାଇଛି। ଅର୍ଥାତ ୩୭ ଦିନରେ ୬୯୧୧.୧୫ ଅଙ୍କ ହ୍ରାସ ପାଇଛି। ସେହି ସମୟ ମଧ୍ୟରେ ନିଫ୍ଟି ୨୫,୧୭୮.୬ ରୁ ୨୨,୫୨୭କୁ ହ୍ରାସ ପାଇଛି। ଅର୍ଥାତ ୩୭ ଦିନରେ ନିଫ୍ଟି ୬୯୧୧.୧୫ ଅଙ୍କ ହ୍ରାସ ପାଇଛି। ମାର୍ଚ୍ଚ ମାସରେ ବିଦେଶୀ ନିବେଶକ ଭାରତୀୟ ଇକ୍ୱିଟିରୁ ପ୍ରାୟ $୧୨.୩ ବିଲିୟନ ବା ୧.୧୪ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ଏପ୍ରିଲରେ ଏହି ଧାରା ଜାରି ରହିଛି କେବଳ ପ୍ରଥମ ଦୁଇଟି ବାଣିଜ୍ୟ ଅଧିବେଶନରେ ୧୯,୮୩୭ କୋଟି ଟଙ୍କା ଅପସାରିତ ହୋଇଥିଲା। ଏପ୍ରିଲ ୨୦୨୬ ଆରମ୍ଭ ସୁଦ୍ଧା ଭାରତୀୟ ଇକ୍ୱିଟିରୁ ମୋଟ ବିଦେଶୀ ନିବେଶକ ୧.୫ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି।

ଏହି ପ୍ରତ୍ୟାହାର ୧୯୯୨ପରେ ସର୍ବାଧିକ। ଅଂଶଧନ ବା ଇକ୍ୱିଟି ବିପୁଳ ବହିଶ୍ରୋତଃ ଦେଖିଥିଲେ ମଧ୍ୟ, ଋଣ ବଜାରରେ ସାମାନ୍ୟ ପ୍ରବାହ କିମ୍ବା ମିଶ୍ରିତ ଗତିବିଧି ଦେଖାଯାଇଥିଲା। ଘରୋଇ ସଂସ୍ଥାଗତ ନିବେଶକମାନେ (DII) ରେକର୍ଡ କ୍ରୟ ସହିତ ସ୍ଥିର ଭୂମିକା ଗ୍ରହଣ କରିଛନ୍ତି, ଯେଉଁଥିରେ ମାର୍ଚ୍ଚ ମାସରେ ରେକର୍ଡ ୧.୪୩ ଲକ୍ଷ କୋଟି ଟଙ୍କା ସାମିଲ ଅଛି।

ଭାରତର ତୈଳ ଆମଦାନୀ ବିଲ୍ ବହୁ ପରିମାଣରେ ବୃଦ୍ଧି ପାଇଛି। ଅଶୋଧିତ ତେଲର ମୂଲ୍ୟରେ ପ୍ରତ୍ୟେକ $୧୦ ବୃଦ୍ଧି ଘଟିଲେ ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ୦.୩% ବୃଦ୍ଧି ପାଏ। ମୁଦ୍ରାସ୍ଫତି ୪.୮%କୁ ବୃଦ୍ଧି ପାଇବବୋଲି ଆଶଙ୍କା ଦେଖାଦେଇଛି। ଏହା ଫଳରେ ଷ୍ଟାଗଫ୍ଲେସନ୍ (ମୁଦ୍ରାସ୍ଫୀତିବୃଦ୍ଧି ସହିତ ଅର୍ଥନୈତିକ ବୃଦ୍ଧି ହ୍ରାସ)ର ଆଶଙ୍କା ବଢ଼ୁଛି। କେନ୍ଦ୍ର ବଜେଟରେ ସରକାର ୨୦୨୬-୨୭ରେ ଆର୍ଥିକବର୍ଷରେ ଅଭିବୃଦ୍ଧି ୭.୪% ହେବବୋଲି ଆକଳନ କରିଛନ୍ତି।

ମୁଡ଼ି ରେଟିଙ୍ଗ ସଂସ୍ଥା ଏହି ପଶ୍ଚିମ ଏସିଆ ସଂଘର୍ଷର ଅର୍ଥନୈତିକ ପ୍ରଭାବକୁ ସମୀକ୍ଷା କରି ୨୦୨୬-୨୭ ରେ ଭାରତର ପୂର୍ବ ଜିଡିପି ବୃଦ୍ଧି ଆକଳନ ୬.୮% କୁ କମାଇ ୬% କରିଛି। ଅନ୍ୟ ସଂସ୍ଥାମାନେ ମଧ୍ୟ ସମାନ ଅନୁମାନ ଦେଇଛନ୍ତି—ଓଇସିଡ଼ି ଭାରତର ଅଭିବୃଦ୍ଧିକୁ ୬.୧%, ଏବଂ ନିବେଶ ସୂଚନା ଏବଂ କ୍ରେଡିଟ୍ ରେଟିଂ ଏଜେନ୍ସି (ICRA) ଏହାକୁ ୫.୫%, ଏବଂ ଏକ ବିଶ୍ୱସ୍ତରୀୟ ବୃତ୍ତିଗତ ସେବା ସଂସ୍ଥା ଏର୍ନଷ୍ଟ ଆଣ୍ଡ ୟଙ୍ଗ, ଅଭିବୃଦ୍ଧି ୬.୫% କୁ ହ୍ରାସ ପାଇବ ବୋଲି ଅନୁମାନ କରିଛି। ମୁଡ଼ି ରେଟିଙ୍ଗ ସଂସ୍ଥା ଅନୁସାରେ, ବିଶେଷକରି ରନ୍ଧନ ଗ୍ୟାସ ଯୋଗାଣରେ ବିଘ୍ନ ଘଟିଲେ ଘରୋଇ ସ୍ତରରେ ଅଭାବ ସୃଷ୍ଟି ହେବ। ଏହା ଫଳରେ ଇନ୍ଧନ ଓ ପରିବହନ ଖର୍ଚ୍ଚ ବଢ଼ିବ। ପୁନଶ୍ଚ ସାର ଆମଦାନୀ ଉପରେ ଭାରତ ନିର୍ଭର କରୁଥିବାରୁ ଖାଦ୍ୟ ମୂଲ୍ୟରେ ମଧ୍ୟ ବୃଦ୍ଧି ହେବ। ଏହି ପରିସ୍ଥିତିରେ ସୁଧହାର ଧୀରେ ଧୀରେ ବଢ଼ିପାରେ , ଯାହା ଋଣ ପରିବ୍ୟୟକୁ ଅଧିକ ବ୍ୟୟସାପେକ୍ଷ କରିବ।

ଯୁଦ୍ଧ ପରେ ସାଧାରଣତଃ ଅର୍ଥନୀତିର ପୁନରୁଦ୍ଧାର ହୁଏ, କିନ୍ତୁ ଏଥିରେ ବ୍ୟାପକ ସରକାରୀ ବ୍ୟୟ ଦରକାର। ବର୍ତ୍ତମାନ ଯୁଗରେ ଏହା ସମ୍ଭବ ହେବା କଷ୍ଟକର, କାରଣ ସମସ୍ତ ଦେଶ ଋଣ ସମସ୍ୟା ଦ୍ଵାରା ପ୍ରଭାବିତ। ବିଶ୍ୱରେ ଋଣ ପରିମାଣ ବୃଦ୍ଧି ପାଉଛି, ଏବଂ ଡି-ଡଲାରାଇଜେସନ୍ ଭଳି ପ୍ରକ୍ରିୟାଏହାକୁ ଆଉ ଜଟିଳ କରୁଛି। ଉଚ୍ଚ ଋଣରେ ଡୁବିଥିବା ଦେଶମାନଙ୍କୁ ବଣ୍ଡ ବଜାରରେ ଅଧିକ ସୁଧ ଦେବାକୁ ପଡୁଛି। ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଫାଇନାନ୍ସ ଅନୁସାରେ, ୨୦୨୫ରେ ବିଶ୍ୱ ଋଣ $୨୯ ଟ୍ରିଲିୟନ୍ ବଢ଼ି $୩୪୮ ଟ୍ରିଲିୟନ୍ କୁ ପହଞ୍ଚିଛି। ଏଥିରେ ବଡ଼ ଅଂଶ ଉନ୍ନତ ଅର୍ଥନୀତିର ସରକାରମାନଙ୍କ ଦ୍ୱାରା ସୃଷ୍ଟି। ଏହା ଚିନ୍ତାଜନକ। ଆମେରିକାର ଋଣ-ଜିଡିପି ଅନୁପାତ ପ୍ରାୟ ୧୨୦% କୁ ପହଞ୍ଚିଛି। ୨୦୨୬ ପ୍ରାରମ୍ଭରେ, ଆମେରିକା ସରକାରଙ୍କ ଋଣ $୩୯ଟ୍ରିଲିୟନ ଅତିକ୍ରମ କରିଛି, ଯାହା ୨୦୨୫ଶେଷ ଭାଗରେ ପ୍ରତି ତିନି ମାସରେ ପ୍ରାୟ $୧ ଟ୍ରିଲିୟନ ହାରରେ ବୃଦ୍ଧି ପାଇଥିଲା । ୟୁରୋଜୋନ୍,ଗ୍ରେଟ ବ୍ରିଟେନ ଓ ଜାପାନରେ ମଧ୍ୟ ଏହି ସମସ୍ୟା ଗମ୍ଭୀର। ଜାପାନରେ ଏହା ଜିଡିପି ୨୫୦% ଠାରୁ ଅଧିକ। ଚୀନର ସ୍ଥାନୀୟ ଋଣ ପରିସ୍ଥିତି ଅଧିକ ଜଟିଳ।

ଯଦି ତୈଳ ମୂଲ୍ୟ $୯୦-୧୦୦ମଧ୍ୟରେ ରହେ, ଭାରତ ସରକାରମ ସବସିଡି ଓ ସାମାଜିକ ସୁରକ୍ଷା ବ୍ୟୟକୁ ହ୍ରାସକରିବେ । ଏହା ସହିତ, ଗଲ୍ଫ ଅଞ୍ଚଳରୁ ଆସୁଥିବା ରେମିଟ୍ଟାନ୍ସ (ଯାହା ପ୍ରାୟ ୪୦%) ମଧ୍ୟ ହ୍ରାସ ପାଇପାରେ। ମୁଡି ଏହା ମଧ୍ୟ କହିଛି ଯେ, ବଢ଼ୁଥିବା ଖର୍ଚ୍ଚ ଓ କମୁଥିବା ଆୟ ଫଳରେ ବିତ୍ତୀୟ ଶୃଙ୍ଖଳା ବଜାୟ ରଖିବା କଷ୍ଟକର ହୋଇପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କର ସଦ୍ୟତମ ମାସିକ ଅର୍ଥନୈତିକ ସମୀକ୍ଷାରେ କୁହାଯାଇଛି ଯେ, ୨୦୨୬-୨୭ ରେ ବାଣିଜ୍ୟ ନିଅଣ୍ଟ ଏବଂ ଚଳନ୍ତି ଆକାଉଣ୍ଟ ନିଅଣ୍ଟ ଅଧିକ ରହିବ। ଯଦି ସଙ୍କଟ କମି ନଯାଏ ଏବଂ ଏହି ଧାରା ଜାରି ରହିପାରେ। ତେବେ ଏକ ଭୟଙ୍କର ପରିସ୍ଥିତି ଉପୁଜିବ। ଯଦି ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ୧୦୦- ଡଲାରରୁ ଅଧିକ ରୁହେ, ଛଅ ମାସ ପାଇଁ ତୈଳ ଆମଦାନୀ ଉପରେ ପ୍ରାୟ ୪୫ ବିଲିୟନ ଡଲାର ଅତିରିକ୍ତ ଖର୍ଚ୍ଚକରିବାକୁ ପଡିବ, ଯାହା ଟଙ୍କା ଉପରେ ଚାପ ପକାଇବ ଏବଂଯୋଗାଣ ଏବଂ ଚାହିଦା ଉଭୟକୁ କ୍ଷତି ପହଞ୍ଚାଇପାରେ। ତଥାପି, ଏହି କ୍ଷତିଗୁଡ଼ିକୁ ବହନ କରିବା ପାଇଁ ସରକାରଙ୍କ ପାଖରେ ବହୁତ ଆର୍ଥିକ ସମ୍ବଳ ନାହିଁ କାରଣ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ମୋଟ ଋଣ ଜିଡିପିର ପ୍ରାୟ ୮୫%। କେବଳ କେନ୍ଦ୍ର ଋଣ ୨୦୨୪-୨୫ରେ ଜିଡିପିର ୫୭% ରୁ୨୦୩୦-୩୧ ସୁଦ୍ଧା ୫୦% ପର୍ଯ୍ୟନ୍ତ କମେଇବା ଯେଉଁ ଲକ୍ଷ୍ୟ ରହିଛି ତାହା ସମ୍ଭବ ହେବନାହିଁ।

ଏଣୁ ଯଦି ଏହି ସଙ୍କଟ କିଛି ମାସ ଲାଗିରୁହେ , ତେବେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ସାମୁହିକ ସୂଚକାଙ୍କ ଯଥା ବାଣିଜ୍ୟ ନିଅଣ୍ଟ, ଚଳନ୍ତି ଆକାଉଣ୍ଟ ନିଅଣ୍ଟ, ମୁଦ୍ରାସ୍ଫୀତି, ଋଣ ବୃଦ୍ଧି ପାଇବ ଏବଂ ଅଭିବୃଦ୍ଧି ହ୍ରାସ ପାଇବ। ଉଚ୍ଚମୂଲ୍ୟ ଓ ଇନପୁଟ୍ ଖର୍ଚ୍ଚ ବୃଦ୍ଧି ଫଳରେ ବ୍ୟକ୍ତିଗତ ଖର୍ଚ୍ଚ ବ୍ୟୟ ସାପେକ୍ଷ ହେବ ଏବଂ ଔଦ୍ୟୋଗିକ କାର୍ଯ୍ୟକଳାପ ମାନ୍ଦା ହେବା ସହିତ ପୁଞ୍ଜିବିନିଯୋଗ ହ୍ରାସ ପାଇବ, ଯାହା ଅର୍ଥନୈତିକ ବୃଦ୍ଧିକୁ ପ୍ରଭାବିତ କରିବ। ଯାହା ଫଳରେ ଚାକିରିର ଅଭାବ, ପ୍ରକୃତ ମଜୁରୀ ହ୍ରାସ ପାଇବ। ପୁନଶ୍ଚ ମାର୍ଚ୍ଚ ୨୦୨୬ ରେ ଭାରତର ମାନ୍ୟୁଫାକ୍ଚରିଙ୍ଗ ବା ଉତ୍ପାଦନ ଅଭିବୃଦ୍ଧି ୪୫ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ହଂକଂ ଏବଂ ସାଂଘାଇ ବ୍ୟାଙ୍କିଂ କର୍ପୋରେସନ ଇଣ୍ଡିଆ ମାନ୍ୟୁଫାକ୍ଚରିଙ୍ଗ ପର୍ଚେଜିଂ ମ୍ୟାନେଜର୍ସ ଇଣ୍ଡେକ୍ସ (PMI) ଅନୁସାରେ ଯାହା ୨୦୨୬ଫେବୃଆରୀରେ ୫୬.୯ଥିଲା ,ତାହା ମାର୍ଚ୍ଚରେ ୫୩.୯କୁ ହ୍ରାସ ପାଇଛି। ବୃଦ୍ଧି ପାଉଥିବା ଇନପୁଟ୍ ଖର୍ଚ୍ଚ, ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ଏବଂ ଚାହିଦା ହ୍ରାସ ଯୋଗୁଁ ଅଭିବୃଦ୍ଧି ମନ୍ଥର ହୋଇଛି। ଭାରତର ଆର୍ଥିକ ଉନ୍ନତି ପାଇଁ ପଶ୍ଚିମ ଏସିଆରେ ଶାନ୍ତି ପ୍ରତିଷ୍ଠା ଅତ୍ୟନ୍ତ ଜରୁରୀ, କାରଣ ଏଠାରୁ ଭାରତର ପ୍ରାୟ ୫୫% ଅଶୋଧିତ ତୈଳ ଓ ୯୦% ଠାରୁ ଅଧିକ ରନ୍ଧନ ଗ୍ୟାସ୍ ଆସିଥାଏ। ଏହି ଅଞ୍ଚଳରେ ଅସ୍ଥିରତା ଲାଗି ରହିଲେ ତାହାର ପ୍ରଭାବ ସିଧାସଳଖ ଭାବେ ଭାରତର ଅର୍ଥନୀତି ଉପରେ ପଡ଼ିବ।

ସଂକ୍ଷେପରେ କହିଲେ, ବିଶ୍ୱ ଅର୍ଥନୀତି ଏକ ଅନିଶ୍ଚିତ ଓ ସଙ୍କଟପୂର୍ଣ୍ଣ ପର୍ଯ୍ୟାୟକୁ ପ୍ରବେଶ କରୁଛି, ଯେଉଁଠାରେ ଭୂରାଜନୈତିକ ସଙ୍କଟ , ଋଣ ବୃଦ୍ଧି, ଓ ଷ୍ଟାଗଫ୍ଲେସନ୍ ବା ସ୍ଥାଣୁତ୍ଵଯୁକ୍ତ ମୁଦ୍ରାସ୍ଫୀତି ସଙ୍କଟ ଦେଖାଦେଇଛି। ରାଷ୍ଟ୍ରମୂଖ୍ୟ ମାନେ ବୁଝିବା ଉଚିତ ଯେ, ଯୁଦ୍ଧ କୌଣସି ସମସ୍ୟା ସମାଧାନ କରେ ନାହିଁ। ଯୁଦ୍ଧ କେବଳ ଧନଜୀବନର କ୍ଷୟକ୍ଷତି ନୁହେଁ, ବରଂ ଏହା ମାନବିକତା ଏବଂ ଜୀବନର ବିକାଶର ପଥରେ ବଡ଼ ପ୍ରତିବନ୍ଧକ ସୃଷ୍ଟି କରେ। କେଉଁ ଦେଶ ଜିତିବ ବା ହାରିବ ପ୍ରଶ୍ନ ନୁହେଁ , ଉଭୟ ଜିତିବା ଓ ହାରିବା ଦେଶ କ୍ଷତିଗ୍ରସ୍ତ ହୁଅନ୍ତି ଓ ଉଭୟ ଦେଶର ନିରୀହ ଜନତା କମ୍ ବା ବେଶି ମୃତ୍ୟୁବରଣ କରନ୍ତି ବା ଅକର୍ମଣ୍ୟ ହୁଅନ୍ତି। ଯୁଦ୍ଧରେ ସେନା ଏବଂ ସାଧାରଣ ନାଗରିକଙ୍କ ଜୀବନ ଯିବା ସହ ଦେଶର ଅର୍ଥନୀତି ନିମ୍ନଗାମୀ ହୁଏ, ଯାହାକୁ ପୁନରୁଦ୍ଧାର କରିବାକୁ ବର୍ଷ ବର୍ଷ ଲାଗିଯାଏ।

ମୋ:୯୪୩୭୨୦୮୭୬୨

donald trump Dr Santosh Kumar Mohapatra Iran US War Middle East crisis
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ ଖିଲେ ସରକାର?

April 10, 2026

ଆଜିର RR ଏବଂ RCB ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ ଏବଂ ପିଚ ରିପୋର୍ଟ

April 10, 2026

ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍: ଓଡ଼ିଶା ପୋଲିସ ଦଳକୁ ଶୁଭେଚ୍ଛା ଜଣାଇଲେ ଡିଜିପି

April 10, 2026

ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର: ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା

April 10, 2026
Latest News

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ ଖିଲେ ସରକାର?

April 10, 2026

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026

ଆଜିର RR ଏବଂ RCB ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ ଏବଂ ପିଚ ରିପୋର୍ଟ

April 10, 2026

ସର୍ବଭାରତୀୟ ପୋଲିସ ଫୁଟବଲ ଚାମ୍ପିୟନସିପ୍: ଓଡ଼ିଶା ପୋଲିସ ଦଳକୁ ଶୁଭେଚ୍ଛା ଜଣାଇଲେ ଡିଜିପି

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.