ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟ ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ‘ଅଟଳ ବସ୍ ଷ୍ଟାଣ୍ଡ’ ଯୋଜନାକୁ ମଞ୍ଜୁରି ମିଳିଛି। ଏହି ଯୋଜନା ଅନୁସାରେ ରାଜ୍ୟର ଜିଲ୍ଲା, ଉପଖଣ୍ଡ, ବ୍ଲକ୍ ମୁଖ୍ୟାଳୟ ସହ ପର୍ଯ୍ୟଟନ କ୍ଷେତ୍ର ଓ ସହରାଞ୍ଚଳ ପୌର ସଂସ୍ଥାସ୍ତରରେ ଆଧୁନିକ ବସ୍ ଷ୍ଟାଣ୍ଡ ସ୍ଥାପନ, ଉନ୍ନୟନ ଓ ନବୀକରଣ କରାଯିବ। ରାଜ୍ୟର ସମସ୍ତ ସାର୍ବଜନୀନ ବସ୍ ଷ୍ଟାଣ୍ଡକୁ “ଅଟଳ ବସ୍ ଷ୍ଟାଣ୍ଡ” ଯୋଜନାର ପରିଚାଳନାର ଏକ ଛାୟା ତଳେ ଏକୀକୃତ କରିବା
ଏହି ଯୋଜନାର ଲକ୍ଷ୍ୟ। ବସ୍ ଷ୍ଟାଣ୍ଡଗୁଡ଼ିକୁ “କ”, “ଖ” ଓ “ଗ” ଶ୍ରେଣୀରେ ବର୍ଗୀକୃତ କରାଯାଇ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ସୁବିଧା ଓ ସେବା ଯୋଗାଇ ଦିଆଯିବ। “ଅଟଳ ବସ୍ ଷ୍ଟାଣ୍ଡ” ଯୋଜନା ବାଣିଜ୍ୟ ଏବଂ ପରିବହନ ବିଭାଗ ଅଧୀନରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ-OSRTC ଦ୍ବାରା କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ପାଇଁ ରାଜ୍ୟ ସରକାର ୨୦୩୧-୩୨ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମୋଟ ୩,୪୦୦ କୋଟି ଟଙ୍କା ବ୍ୟୟ କରିବେ।


