ବାଲିପାଟଣା : ଗତକାଲି ରାତିରେ ଦୁର୍ବୃତ୍ତମାନେ ପୁଣି ବାଲିପାଟଣା ବୁଦ୍ଧିକେଶ୍ୱର ମନ୍ଦିରରେ କଳାକନା ବୁଲାଇଛନ୍ତି । ଅନୁସାରେ ମନ୍ଦିର ପ୍ରାଙ୍ଗଣରେ ଥିବା ଘର ତାଲା ଭାଙ୍ଗି ମୂଲ୍ୟବାନ ସାଉଣ୍ଡ ମେସିନ, ଷ୍ଟାଣ୍ଡ , ମାଇକ୍ରୋଫୋନ, ସାଉଣ୍ଡ ସିଷ୍ଟମ, ବୈଦୁତିକ ଉପକରଣ ସହ ବାସନକୁସନ ଲୁଟ ହୋଇଥିବା ଜଣା ପଡିଛି । ଆଜି ସକାଳୁ ପୂଜକ ମନ୍ଦିରକୁ ପୂଜା କରିବାକୁ ଆସିବା ବେଳେ ମନ୍ଦିର ପ୍ରାଙ୍ଗଣରେ ଥିବା ଘର ତାଲା ଭଙ୍ଗା ହୋଇଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ସୂଚନା ଅନୁସାରେ, ଗତ ମାସ ୨୦ ତାରିଖରେ ବନମାଳୀପୁର ଫାଣ୍ଡି ଅଧୀନ ଦେଉଳିଧରପୁର ସ୍ଥିତ ବୁଦ୍ଧିକେଶ୍ୱର ମନ୍ଦିରରୁ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଦାନ ହୁଣ୍ଡୀରୁ ନଗଦ ୧୩ ହଜାର ଟଙ୍କା ଓ ୨ ଟି ବଡ଼ ପିତଳ ଘଣ୍ଟି , ୨ ଟି ବଡ଼ ପିତଳ ଥାଳି , ୨ ଟି ପିତଳ ଢାଳ ଏବଂ ଗୋଟିଏ ପିତଳ ବାଲଟି ସହ ବହୁ ବାସନକୁସନ , ଗ୍ୟାସ ସିଲିଣ୍ଡର ପ୍ରଭୃତି ଚୋରି କରି ନେଇଯାଇଥିଲେ । ଏହି ଚୋରି ବାବଦରେ ଗ୍ରାମବାସୀ ପୁଣି ଏକ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଦେଖାଯାଉ ପୋଲିସ କେତେ ଶୀଘ୍ର ଅପରାଧୀକୁ ଧରିବାରେ ସଫଳ ହେଉଛି ।


