ଭୁବନେଶ୍ବର: ମଦ ଦୋକାନ ଲାଇସେନ୍ସ ଦେବା ପୂର୍ବରୁ ସରକାରଙ୍କୁ ଶୁଖିଲା ଶୁଖିଲାରେ ମିଳିଗଲାଣି ୮୪୦ କୋଟି ଟଙ୍କା। ଯାହା ଏଥର ନିଲାମର ସର୍ବାଧିକ ରେକର୍ଡ। ଯେଉଁମାନେ ମଦ ଦୋକାନ ଖୋଲିବେ ସେମାନଙ୍କୁ ଆବେଦନ କରିବା ପାଇଁ କୁହାଯାଇଥିଲା। ସେଥିରେ ଅଫେରସ୍ତ ତିନି ଲକ୍ଷ ଟଙ୍କା ଜମା ରଖିବାକୁ କୁହାଯାଇଥିଲା। ଫଳରେ ରାଜ୍ୟରୁ ପ୍ରାୟ ୨୯ ହଜାର ଆବେଦନ ମିଳିଛି। ଫଳରେ ରାଜ୍ୟ ସରକାର ନିଲାମ ପୂର୍ବରୁ ୮୭୦ କୋଟି ଟଙ୍କା ପାଇସାରିଲେଣି।
ମଦ ଲାଇସେନ୍ସ ପାଇଁ ୨୦୨୧ ମସିହାରେ ଶେଷ ଥର ନିମନ୍ତେ ନିଲାମ ଡକାଯାଇଥିଲା। ସେତେବେଳେ ମିଳିଥିଲା ମାତ୍ର ୨୦୦ କୋଟି ଟଙ୍କା। କାରଣ ସେତେବେଳେ ଜମା ରାଶି ଥିଲା ଏକ ଲକ୍ଷ ଟଙ୍କା। ଚଳିତ ବର୍ଷ ଏହାକୁ ତିନି ଲକ୍ଷକୁ ବୃଦ୍ଧି କରିବା ସହିତ ପାଞ୍ଚ ବର୍ଷ ପରିବର୍ତ୍ତି ତିନି ବର୍ଷ ପାଇଁ ନିଲାମ ଡାକିଛନ୍ତି। ତେବେ ବିଦେଶୀ ମଦ ଦୋକାନ ପାଇଁ ତିନି ଲକ୍ଷ ଥିବା ବେଳେ ଦେଶୀ ମଦ ଦୋକାନ ପାଇଁ ଦୁଇ ଲକ୍ଷ ଟଙ୍କା କରାଯାଇଛି। ଫଳରେ ସରକାର ଏଥିରୁ ଏହି ବିପୁଳ ପରିମାଣର ଆୟ କରିପାରିଛନ୍ତି।
ତେବେ ସବୁଠାରୁ ମଜଦାର କଥା ହେଲା ଯେ, ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆବେଦନକାରୀ ରହିଛନ୍ତି। ଏହି ଜିଲ୍ଲା ପାଇଁ ନିଲାମ ଡକାଇଥିବା ୮୬ ଟି ମଦ ଦୋକାନ ପାଇଁ ୪୨୦୦ ଜଣ ଆବେଦନ କରିଛନ୍ତି। କେବଳ ଭୁବନେଶ୍ବରରେ ୫୮ ଟି ଦୋକାନ ପାଇଁ ୩୬୧୮ ଜଣ ଆବେଦନ କରିଛନ୍ତି। ଭୁବନେଶ୍ବରରେ ୫୦ଟି ଠିପି ବନ୍ଦ ଦୋକାନ ପାଇଁ ୩୧୯୧ ଜଣ ଏବଂ ୮ ଟି ଦେଶୀ ମଦଦୋକାନ ପାଇଁ ୪୨୫ ଜଣ ଆବେଦନ କରିଛନ୍ତି। ଫଳରେ ସରକାର କେବଳ ଭୁବନେଶ୍ବରରୁ ୧୧୮ କୋଟି ଟଙ୍କା ରାଜସ୍ବ ପାଇଛନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ଭୁବନେଶ୍ବରର କେବଳ ପଟିଆ ପାଇଁ ସର୍ବାଧିକ ୩୧୫ ଜଣ ଆବେଦନ କରିଛନ୍ତି। ସେତିକି ନୁହେଁ ଭୁବନେଶ୍ବର ଗୋଟିଏ ଗୋଟିଏ ଦୋକାନ ପାଇଁ ପରିବାର ଓ ସଂପର୍କୀୟ ଭାବେ ପ୍ରାୟ ୨୫ ଜଣ ଲେଖାଏଁ ଆବେଦନ କରିଥିବାର ମଧ୍ୟ ଜଣାପଡିଛି। ମୁଖ୍ୟକଥା ହେଲା ଯେହେତୁ ଲଟେରୀ କରାଯାଉଛି, ତେଣୁ ଏକା ଥରେ ପରିବାରରୁ ବହୁ ଲୋକଙ୍କ ନାମରେ ଆବେଦନ କରିଥିଲେ କାଳେ ଭାଗ୍ୟ ଖୋଲିଯିବ ବୋଲି ଆବେଦନକାରୀ ଆଶା ରଖିଛନ୍ତି।


