ନୂଆଦିଲ୍ଲୀ: ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ରୁଷୀୟ ତୈଳ କ୍ରୟ ସମ୍ପର୍କରେ ପାଶ୍ଚାତ୍ୟ ଦେଶଗୁଡ଼ିକର ଦୋମୁହାଁ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ଫିନଲ୍ୟାଣ୍ଡ ଗସ୍ତ ସମୟରେ ସେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ୨୦୨୨ ରେ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ୱ ତୈଳ ବଜାରକୁ ସ୍ଥିର କରିବା ଏବଂ ହଠାତ ମୂଲ୍ୟ ବୃଦ୍ଧିକୁ ରୋକିବା ପାଇଁ ଆମେରିକା ନିଜେ ଭାରତକୁ ରୁଷୀୟ ତୈଳ କ୍ରୟ କରିବାକୁ ଅନୁରୋଧ କରିଥିଲା।
ଫିନଲ୍ୟାଣ୍ଡରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଏସ. ଜୟଶଙ୍କର କହିଥିଲେ ଯେ, ସେହି ସମୟରେ ଆମେରିକା ସ୍ୱତନ୍ତ୍ର ଭାବରେ ଭାରତକୁ ରୁଷୀୟ ତୈଳ କ୍ରୟ କରିବାକୁ ଅନୁରୋଧ କରିଥିଲା। ସେହି ସମୟରେ ବିଶ୍ୱ ବଜାରରେ ଉପଲବ୍ଧ ତୈଳର ଏକ ବଡ଼ ଅଂଶ ରୁଷିଆରୁ ଆସୁଥିଲା, ଏବଂ ପରିସ୍ଥିତି ଭାରତକୁ ସେହି ଦିଗରେ ଯିବାକୁ ବାଧ୍ୟ କରିଥିଲା।
ଏହି କାର୍ଯ୍ୟକ୍ରମ ସମୟରେ ଜଣେ ସାମ୍ବାଦିକ ରୁଷିଆ ପ୍ରତି ଭାରତର ଅତ୍ୟଧିକ ସହାନୁଭୂତି ଏବଂ ରୁଷିଆରୁ ତୈଳ କ୍ରୟ ଉପରେ ପ୍ରଶ୍ନ ଉଠାଇଥିଲେ। ଜବାବରେ ଜୟଶଙ୍କର କହିଥିଲେ ଯେ, ଭାରତ ମୂଲ୍ୟ ଏବଂ ଉପଲବ୍ଧତା ଆଧାରରେ ତେଲ କିଣୁଛି। ସେ କହିଥିଲେ ଯେ, ଶକ୍ତି ସୁରକ୍ଷା ଏବଂ ଆର୍ଥିକ ସ୍ୱାର୍ଥକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଆଯାଇଥାଏ।


