ଆଜିକାଲି କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ବ୍ୟାଙ୍କ ପକ୍ଷରୁ “ପ୍ରି-ଅପ୍ରୁଭ୍ଡ କ୍ରେଡିଟ୍ ଲିମିଟ୍ ବୃଦ୍ଧି” ବାର୍ତ୍ତା ଆସିବା ଏକ ସାଧାରଣ ଘଟଣା। କେବଳ ଗୋଟିଏ କ୍ଲିକ୍ କିମ୍ବା ଏସଏମଏସ୍ ମାଧ୍ୟମରେ ହଜାର ହଜାର ଟଙ୍କାର ଅତିରିକ୍ତ କ୍ରେଡିଟ୍ ସୁବିଧା ମିଳିଯାଏ। ଅନେକ ଗ୍ରାହକ ଏହାକୁ ବ୍ୟାଙ୍କର ବିଶ୍ୱାସ ଓ ନିଜର ଭଲ ଆର୍ଥିକ ଶୃଙ୍ଖଳାର ପୁରସ୍କାର ବୋଲି ଭାବନ୍ତି। କିନ୍ତୁ ଏହି ଅଫର ପଛରେ ରହିଛି ଅନେକ ବ୍ୟବସାୟିକ ହିସାବ-କିତାବ।
ବ୍ୟାଙ୍କ କିମ୍ବା କାର୍ଡ ଇସ୍ୟୁକାରୀ ସଂସ୍ଥାମାନେ ଗ୍ରାହକଙ୍କ ଆୟ, କ୍ରେଡିଟ୍ ସ୍କୋର, ଋଣ ପରିଶୋଧ ଇତିହାସ ଏବଂ ଖର୍ଚ୍ଚ କରିବାର ଅଭ୍ୟାସକୁ ବିଶ୍ଳେଷଣ କରି ଲିମିଟ୍ ବୃଦ୍ଧି ପ୍ରସ୍ତାବ ଦିଅନ୍ତି। ଯେଉଁ ଗ୍ରାହକ ସମୟରେ ବିଲ୍ ପୈଠ କରନ୍ତି ଓ ଡିଫଲ୍ଟ କରନ୍ତି ନାହିଁ, ସେମାନଙ୍କୁ ବ୍ୟାଙ୍କ କମ୍ ବିପଦପୂର୍ଣ୍ଣ ଗ୍ରାହକ ଭାବେ ଦେଖେ।
ବ୍ୟାଙ୍କର ଉଦ୍ଦେଶ୍ୟ କେବଳ ଗ୍ରାହକଙ୍କୁ ସୁବିଧା ଦେବା ନୁହେଁ, ବରଂ ଅଧିକ ବ୍ୟବହାର ମାଧ୍ୟମରେ ଅଧିକ ଆୟ ସୃଷ୍ଟି କରିବା ମଧ୍ୟ। କାରଣ ଯେତେ ଅଧିକ ଟ୍ରାଞ୍ଜାକ୍ସନ ହେବ, ବ୍ୟାଙ୍କ ସେତେ ଅଧିକ ଫି, ଚାର୍ଜ ଓ ସୁଧ ଆୟ ପାଇବ।
ବିଶେଷଜ୍ଞଙ୍କ ମତରେ, କ୍ରେଡିଟ୍ ସୀମା ବୃଦ୍ଧି ହେବା ନିଜେ କୌଣସି ସମସ୍ୟା ନୁହେଁ। ବରଂ ଏହା ସଠିକ୍ ଭାବରେ ବ୍ୟବହାର କଲେ କ୍ରେଡିଟ୍ ସ୍କୋର ଉନ୍ନତ ହୋଇପାରେ।
ଉଦାହରଣ ସ୍ୱରୂପ, ଆପଣଙ୍କ କାର୍ଡର ସୀମା ୧ ଲକ୍ଷ ଟଙ୍କା ଓ ଆପଣ ୩୦ ହଜାର ଟଙ୍କା ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ କ୍ରେଡିଟ୍ ୟୁଟିଲାଇଜେସନ ରେସିଓ ୩୦ ପ୍ରତିଶତ। କିନ୍ତୁ ସୀମା ୨ ଲକ୍ଷ ହୋଇଗଲେ ସେହି ଖର୍ଚ୍ଚ ମାତ୍ର ୧୫ ପ୍ରତିଶତ ହେବ। ଏହା କ୍ରେଡିଟ୍ ସ୍କୋର ପାଇଁ ସକାରାତ୍ମକ ସଙ୍କେତ।
ତେବେ ଏଠାରେ ରହିଛି ସବୁଠାରୁ ବଡ଼ ବିପଦ। ଅନେକ ଲୋକ ଅଧିକ ଲିମିଟ୍ ମିଳିବା ପରେ ନିଜର ଖର୍ଚ୍ଚ ମଧ୍ୟ ବଢ଼ାଇ ଦିଅନ୍ତି। ଫଳରେ ଅନାବଶ୍ୟକ ସପିଂ, ଲକ୍ସୁରୀ ଖର୍ଚ୍ଚ ଏବଂ ଇଏମଆଇର ଭାର ବଢ଼ିଥାଏ। ସମୟରେ ପେମେଣ୍ଟ ନ କଲେ କ୍ରେଡିଟ୍ କାର୍ଡର ଉଚ୍ଚ ସୁଧ ହାର ଆର୍ଥିକ ଚାପକୁ ଆହୁରି ବଢ଼ାଇଦିଏ।
କ୍ରେଡିଟ୍ କାର୍ଡ ସୀମା ବୃଦ୍ଧି ପ୍ରସ୍ତାବକୁ ଆପଣ ଗ୍ରହଣ କରିପାରିବେ, ଯଦି ଆପଣ ସମୟରେ ବିଲ୍ ପରିଶୋଧ କରନ୍ତି, ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିପାରନ୍ତି ଏବଂ ନିଜର କ୍ରେଡିଟ୍ ସ୍କୋରକୁ ଭଲ ରଖିବାକୁ ଚାହୁଁଛନ୍ତି। ଏପରି ସ୍ଥିତିରେ ଅଧିକ କ୍ରେଡିଟ୍ ସୀମା ଆପଣଙ୍କ କ୍ରେଡିଟ୍ ୟୁଟିଲାଇଜେସନ୍ ରେସିଓ କମାଇ କ୍ରେଡିଟ୍ ପ୍ରୋଫାଇଲ୍କୁ ମଜବୁତ କରିପାରେ।
ଅନ୍ୟପକ୍ଷରେ, ଯଦି ଆପଣ ପୂର୍ବରୁ ଋଣ ଚାପରେ ଅଛନ୍ତି, ଅଧିକ କ୍ରେଡିଟ୍ ସୀମା ଦେଖି ଅଧିକ ଖର୍ଚ୍ଚ କରିବାର ପ୍ରବୃତ୍ତି ରହିଛି କିମ୍ବା ବିଲ୍ ପରିଶୋଧରେ ଅନିୟମିତତା ଅଛି, ତେବେ ଏହି ପ୍ରସ୍ତାବକୁ ଏଡ଼ାଇବା ଭଲ। ନଚେତ୍ ଅଧିକ ଖର୍ଚ୍ଚ ଓ ଉଚ୍ଚ ସୁଧ ହାର ଯୋଗୁଁ ଆପଣଙ୍କ ଆର୍ଥିକ ସ୍ଥିତି ଆହୁରି ଜଟିଳ ହୋଇପାରେ।
ଆର୍ଥିକ ପରାମର୍ଶଦାତାମାନଙ୍କ କହିବା ଅନୁଯାୟୀ, କ୍ରେଡିଟ୍ କାର୍ଡକୁ ଜରୁରୀ ପରିସ୍ଥିତିରେ ବ୍ୟାକଅପ୍ ସୁବିଧା ଭାବେ ବ୍ୟବହାର କରିବା ଉଚିତ। ଏହାକୁ ଅତିରିକ୍ତ ଆୟ କିମ୍ବା ଜରୁରୀ ପାଣ୍ଠିର ବିକଳ୍ପ ଭାବେ ଧରିନେବା ଠିକ୍ ନୁହେଁ।
କ୍ରେଡିଟ୍ କାର୍ଡ ସୀମା ବୃଦ୍ଧି ବ୍ୟାଙ୍କର ଏକ ବ୍ୟବସାୟିକ ପଦକ୍ଷେପ, ଯାହା ଆପଣଙ୍କୁ ଅଧିକ ଆର୍ଥିକ ସୁବିଧା ଦେଇପାରେ। କିନ୍ତୁ ଏହାକୁ ସୁଯୋଗ ନା ଫାଶରେ ପରିଣତ କରିବେ, ତାହା ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ଖର୍ଚ୍ଚ ଅଭ୍ୟାସ ଓ ଆର୍ଥିକ ଶୃଙ୍ଖଳା ଉପରେ ନିର୍ଭର କରେ। ଅଧିକ ଲିମିଟ୍ ମାନେ ଅଧିକ ଖର୍ଚ୍ଚ ନୁହେଁ—ବରଂ ଅଧିକ ଦାୟିତ୍ୱ।


