ଓଡିଶା ରାଜ୍ୟ ଯୁବ କଲ୍ୟାଣ ପରିଷଦର ନୂତନ ଅଧ୍ୟକ୍ଷ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ବିଜୟ କୁମାର ନାୟକ । 2013ରୁ ଯୁବଗୋଷ୍ଠୀଙ୍କ ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ରାଜ୍ୟ ଯୁବ କଲ୍ୟାଣ ପରିଷଦ ଅନେକ ଯୁବ କଲ୍ୟାଣ ପରିଷଦ ସଞ୍ଚାଳନ କରିଥାଏ । ରାଜ୍ୟର ଯୁବଗୋଷ୍ଠୀଙ୍କୁ ସୁଦୃଢ, ସଙ୍ଗଠିତ ଓ କ୍ରିୟାଶୀଳ କରିବାରେ ବିଜୁ ଯୁବ ବାହିନୀ ସହାୟକ ହୋଇଛି ବୋଲି ଦାୟିତ୍ବ ଗ୍ରହଣ ଅବସରରେ ବିଜୟ ନାୟକ ପ୍ରକାଶ କରିଥିଲେ । ରାଜ୍ୟ 6800 ପଞ୍ଚାୟତ, 113 ସହରାଞ୍ଚଳରେ ‘ବିଜୁ ଯୁବ ବାହିନୀ’ ଗଠନ ହୋଇ 2 ଲକ୍ଷ 70 ହଜାର ଯୁବକ ଯୁବତୀଙ୍କୁ ସ୍ବେଚ୍ଛାସେବୀ ଭାବରେ ସାମିଲ କରିଛି । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ସ୍ବେଚ୍ଛାସେବୀ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏହି କାର୍ଯ୍ୟଧାରାକୁ ଆଗକୁ ବଢାଇବାକୁ ବଦ୍ଧ ପରିକର ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।
ଆପିକଲ୍ରେ ଅନୁଷ୍ଠିତ ବିଜୟ ନାୟକଙ୍କ ଏହି ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ଅଶୋକ ଚନ୍ଦ୍ର ପଣ୍ଡା, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, କିଶୋର ମହାନ୍ତି, ପ୍ରଭୁ ଜାନି, ସଞ୍ଜୟ ଦାସବର୍ମା, ପ୍ରଫୁଲ୍ଲ ପାଙ୍ଗୀ, ଶ୍ରୀମୟୀ ମିଶ୍ର, ଇଶ୍ବର ପାଣିଗ୍ରାହୀ, ଅମରେଶ ପତ୍ରୀ, ପ୍ରଭାତ ଆଦିତ୍ୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।