ଭୁବନେଶ୍ୱର: ରାଜ୍ୟରେ ବସ୍ ଭଡ଼ା ବୃଦ୍ଧି ନେଇ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ସାଧାରଣ ଓ ଏକ୍ସପ୍ରେସ୍ ବସ୍ରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ଉପରେ ଏହା ଅଧିକ ଆର୍ଥିକ ବୋଝ ପକାଇଥିବା ଅଭିଯୋଗ ହୋଇଛି। ନୂଆ ଭଡ଼ା ହାର ଯୋଗୁଁ ଯାତ୍ରୀଙ୍କ ଯାତ୍ରା ଖର୍ଚ୍ଚ ପ୍ରାୟ ୩୦ ପ୍ରତିଶତ ବଢ଼ିଯାଇଥିବା ଦାବି କରାଯାଉଛି। ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଏପ୍ରିଲ ମାସରେ ସାଧାରଣ ବସ୍ କିଲୋମିଟର ପିଛା ଭଡ଼ା ୮୮ ପଇସା ଥିବାବେଳେ ମେ’ ୩୧ ତାରିଖରେ ଏହା ୯୦ ପଇସାକୁ ବୃଦ୍ଧି ପାଇଥିଲା ଏବଂ ବର୍ତ୍ତମାନ ଏହା ବୃଦ୍ଧି ପାଇ କିଲୋମିଟର ପିଛା ୧ ଟଙ୍କା ୧୮ ପଇସାରେ ପହଞ୍ଚିଛି। ସେହିପରି ଏକ୍ସପ୍ରେସ୍ ବସ୍ ଭଡ଼ା ୯୨ ପଇସାରୁ ବଢ଼ି ୯୪ ପଇସା ହୋଇଥିବାବେଳେ ବର୍ତ୍ତମାନ କିଲୋମିଟର ପିଛା ୧ ଟଙ୍କା ୨୪ ପଇସା ହୋଇଛି।
ଅନ୍ୟପକ୍ଷରେ, ସରକାରୀ ସ୍ତରରେ ଭଡ଼ା ବୃଦ୍ଧି କେବଳ କିଲୋମିଟର ପିଛା ୫ ପଇସା ବୋଲି ଦର୍ଶାଯାଉଥିବା ଅଭିଯୋଗ ହୋଇଛି। ମାତ୍ର ଏହି ମାମୁଲୀ ବୃଦ୍ଧି ମୁଖ୍ୟତଃ ଉଚ୍ଚ ଶ୍ରେଣୀର ବସ୍ଗୁଡ଼ିକ ପାଇଁ ପ୍ରଯୁଜ୍ୟ ହୋଇଥିବାବେଳେ, ସାଧାରଣ ଓ ଏକ୍ସପ୍ରେସ୍ ଯାତ୍ରୀଙ୍କ ଉପରେ ପଡ଼ୁଥିବା ପ୍ରକୃତ ବୋଝକୁ ଅଣଦେଖା କରାଯାଉଛି। ବସ୍ ଭଡ଼ା ନିର୍ଦ୍ଧାରଣ ପାଇଁ ଇନ୍ଧନ ଦର ଆଧାରିତ ସ୍ୱୟଂଚାଳିତ ବ୍ୟବସ୍ଥା ଥିବା କୁହାଯାଉଥିଲେ ମଧ୍ୟ ଏହାର ଯୁକ୍ତିଯୁକ୍ତତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଉଦାହରଣ ସ୍ୱରୂପ, ୨୦୧୩-୧୪ ମସିହାରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୭.୯୮ ଡଲାର ଥିବାବେଳେ ପେଟ୍ରୋଲ ଦର ପ୍ରାୟ ୬୦ ଟଙ୍କା ଏବଂ ଡିଜେଲ ଦର ଆହୁରି କମ୍ ଥିଲା। କିନ୍ତୁ ବର୍ତ୍ତମାନ ଅଶୋଧିତ ତୈଳ ଦର ୮୮ ଡଲାର ଥିବା ସତ୍ତ୍ୱେ ଦେଶରେ ଇନ୍ଧନ ଦର ୧୦୦ ଟଙ୍କା ଅତିକ୍ରମ କରିଛି, ଯାହା ଭଡ଼ା ବୃଦ୍ଧିର ଆଧାରକୁ ସନ୍ଦେହଜନକ କରୁଛି।
ଏହାଛାଡ଼ା, ମଧ୍ୟପ୍ରାଚ୍ୟରେ କୂଟନୈତିକ ଆଲୋଚନା ଓ ଉତ୍ତେଜନା ହ୍ରାସ ପାଇଲେ ଆଗାମୀ ଦିନରେ ଆନ୍ତର୍ଜାତୀୟ ବଜାରରେ ତୈଳ ଦର ଆହୁରି କମିବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ବସ୍ ଭଡ଼ା ବୃଦ୍ଧିର ସମୟ ଓ ଏହାର ଆଧାରକୁ ନେଇ ବିବାଦ ଦେଖାଦେଇଥିବାରୁ, ସାଧାରଣ ଯାତ୍ରୀଙ୍କ ଆର୍ଥିକ ସ୍ଥିତିକୁ ଗୁରୁତ୍ୱ ଦେଇ ଏହି ଭଡ଼ା ବୃଦ୍ଧି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସାଧାରଣରେ ଦାବି ଜୋର୍ ଧରିଛି।


