ବାଣପୁର: ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍ ପାଖରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତ ଗତିରେ ଯାଉଥିବା ଏକ ଟାଟା ଇଣ୍ଡିଗୋ କାର୍ (OD 02 R 9002) ଭାରସାମ୍ୟ ହରାଇ ପ୍ରାୟ ତିନିଥର ପଲଟି ରାସ୍ତା କଡ଼ରେ ଥିବା ବିଲ ଭିତରକୁ ଖସି ପଡ଼ିଛି। ଦୁର୍ଘଟଣାରେ କାର୍ଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି।
ଦୁର୍ଘଟଣା ସମୟରେ କାର୍ରେ ୫ ଜଣ ଯୁବକ ଥିବା ସୂଚନା ମିଳିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଯୁବକମାନେ ମଦ୍ୟପ ଅବସ୍ଥାରେ ଥିଲେ ଏବଂ ଉଦ୍ଧାର ପରେ ସ୍ଥାନୀୟ ଲୋକଙ୍କୁ ଧମକ ଦେଇ ଘଟଣାସ୍ଥଳରୁ ପଳାଇଯାଇଥିଲେ।
ଖବର ପାଇ ଗମ୍ଭାରୀମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବିଲ ଭିତରୁ ଦୁର୍ଘଟଣାଗ୍ରସ୍ତ କାର୍କୁ ଉଦ୍ଧାର କରି ଜବତ କରିଛି। ଆଶ୍ଚର୍ଯ୍ୟଜନକ ଭାବେ ଏତେ ବଡ଼ ଦୁର୍ଘଟଣା ସତ୍ତ୍ୱେ କେହି ଆହତ ହୋଇନାହାନ୍ତି। ଗାଡ଼ି ନମ୍ବରକୁ ଆଧାର କରି ପୋଲିସ ଫେରାର ଯୁବକମାନଙ୍କ ପରିଚୟ ଓ ଘଟଣାର କାରଣ ନେଇ ତଦନ୍ତ ଜାରି ରଖିଛି।


