ୱାଶିଂଟନ୍ : ପଶ୍ଚିମ ଏସିଆରେ ବଢ଼ୁଥିବା ଯୁଦ୍ଧ ଆଶଙ୍କା ମଧ୍ୟରେ ଆସିଛି ଏକ ବଡ଼ ଆଶ୍ୱସ୍ତିର ଖବର। ଖବର ଅନୁଯାୟୀ, ଆମେରିକା ଓ ଇରାନ ବର୍ତ୍ତମାନ ପାଇଁ ପାରସ୍ପରିକ ସାମରିକ ଆକ୍ରମଣ ଏବଂ ଆକ୍ରମଣାତ୍ମକ କାର୍ଯ୍ୟକଳାପ ବନ୍ଦ କରିବାକୁ ସହମତ ହୋଇଛନ୍ତି। ଏହି ପଦକ୍ଷେପ ପରେ ଅଞ୍ଚଳରେ ବଢ଼ୁଥିବା ଉତ୍ତେଜନା କମିବ ବୋଲି ଆଶା କରାଯାଉଛି।
ରିପୋର୍ଟ ଅନୁସାରେ, ଉତ୍ତେଜନା ହ୍ରାସ ପାଇଁ ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କତାରର ଦୋହାରେ ହେବ। ମଙ୍ଗଳବାର ଉଭୟ ଦେଶର ପ୍ରତିନିଧିମଣ୍ଡଳ ହର୍ମୁଜ୍ ପ୍ରଣାଳୀକୁ ନେଇ ଚାଲିଥିବା ବିବାଦର ସମାଧାନ ଉପରେ ଆଲୋଚନା କରିବେ। ବିଶ୍ୱ ତୈଳ ପରିବହନ ପାଇଁ ଏହି ଜଳପଥ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ବୈଠକ ଉପରେ ସମଗ୍ର ବିଶ୍ୱର ନଜର ରହିଛି।
ଆମେରିକୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ଦୋହା ଆଲୋଚନା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଉଭୟ ପକ୍ଷ ପଛକୁ ହଟିବାକୁ ରାଜି ହୋଇଛନ୍ତି। ତେବେ ଇରାନ ପକ୍ଷରୁ ଏପର୍ଯ୍ୟନ୍ତ ଏହି ଖବର ଉପରେ କୌଣସି ଆନୁଷ୍ଠାନିକ ବିବୃତି ଜାରି ହୋଇନାହିଁ, ଯାହାଫଳରେ ପରିସ୍ଥିତି ଏବେ ବି ସମ୍ବେଦନଶୀଳ ରହିଛି।
ସୂଚନାଯୋଗ୍ୟ, ସମ୍ପ୍ରତି ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଗତ ୨୪ ଘଣ୍ଟାରେ ପୁଣିଥରେ ପରସ୍ପରର ସାମରିକ ଘାଟି ଉପରେ ଆକ୍ରମଣ ହୋଇଥିଲା। ଏହାପରେ ଅସ୍ତ୍ରବିରତି ଭାଙ୍ଗିଯିବା ନେଇ ଆଶଙ୍କା ବଢ଼ିଥିଲା। ବର୍ତ୍ତମାନର ଏହି ସହମତି ପଶ୍ଚିମ ଏସିଆରେ ଶାନ୍ତି ପ୍ରକ୍ରିୟା ପାଇଁ ଏକ ସକାରାତ୍ମକ ସଙ୍କେତ ବୋଲି ଦେଖାଯାଉଛି।


