ନୂଆଦିଲ୍ଲୀ: ସିନ୍ଧୁ ଜଳ ଚୁକ୍ତି (Indus Waters Treaty)କୁ ନେଇ ପୁଣିଥରେ ଭାରତ-ପାକିସ୍ତାନ ମଧ୍ୟରେ ବାକ୍ଯୁଦ୍ଧ ତୀବ୍ର ହୋଇଛି। ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ମୁସାଦିକ୍ ମାଲିକ ଭାରତକୁ କଡ଼ା ଚେତାବନୀ ଦେଇ କହିଛନ୍ତି, ସିନ୍ଧୁ ଜଳ ଚୁକ୍ତି ଅନୁଯାୟୀ ପାକିସ୍ତାନର ଜଳ ଅଧିକାରରେ ହସ୍ତକ୍ଷେପ କରିବାର ଯେକୌଣସି ପ୍ରୟାସର କଠୋର ଜବାବ ଦିଆଯିବ।
ପାକିସ୍ତାନର ସୂଚନା ମନ୍ତ୍ରୀ ଆତାଉଲ୍ଲାହ ତାରାରଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୁସାଦିକ୍ ମାଲିକ ଅଭିଯୋଗ କରିଥିଲେ ଯେ ଭାରତ ଜଳ ପ୍ରବାହ ଉପରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରୁଛି। ସେ କହିଥିଲେ, ପାକିସ୍ତାନକୁ ଆବଣ୍ଟିତ ଜଳ ପ୍ରବାହରେ କୌଣସି ବାଧା ସହ୍ୟ କରାଯିବ ନାହିଁ।
ଏହି ଅବସରରେ ସୂଚନା ମନ୍ତ୍ରୀ ଆତାଉଲ୍ଲାହ ତାରାର କହିଥିଲେ, ସିନ୍ଧୁ ଜଳ ଚୁକ୍ତି ଆଇନଗତ ଭାବେ ବାଧ୍ୟତାମୂଳକ ଏବଂ ଏହାକୁ କୌଣସି ପକ୍ଷ ଏକତରଫା ଭାବେ ସ୍ଥଗିତ କରିପାରିବେ ନାହିଁ। ସେ ଦାବି କରିଥିଲେ ଯେ ପାକିସ୍ତାନର ଜଳ ଅଧିକାର ଅନ୍ତର୍ଜାତୀୟ ଆଇନ ଦ୍ୱାରା ସୁରକ୍ଷିତ।
ପାକିସ୍ତାନ ସରକାର ଘୋଷଣା କରିଛନ୍ତି ଯେ ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ମଙ୍ଗଳବାର ଇସଲାମାବାଦରେ ପ୍ରଥମ ଅନ୍ତର୍ଜାତୀୟ ସେମିନାର ଆୟୋଜନ କରାଯିବ। ଏଥିରେ ଆଇନ ବିଶେଷଜ୍ଞ, ଜଳ ସମ୍ପଦ ବିଶେଷଜ୍ଞ ଏବଂ ବିଭିନ୍ନ ଦେଶର ପ୍ରତିନିଧିମାନେ ଯୋଗଦେବେ ବୋଲି ପାକିସ୍ତାନ ପକ୍ଷରୁ ସୂଚନା ଦିଆଯାଇଛି।
ପାକିସ୍ତାନର ଏହି ବୟାନ ଉପରେ ଭାରତ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ଆସିନାହିଁ।


