ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାର ବାରୁଇପୁର ଅଞ୍ଚଳରେ ଜଣେ ୧୧ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା କରାଯାଇଛି। ଏହି ମାମଲାରେ ଏବେ ଗୁରୁତ୍ୱପୂର୍ଣ୍ଣ ସୂଚନା ସାମ୍ନାକୁ ଆସିଛି। ରବିବାର (୫ ଜୁଲାଇ) ୧୧ ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର କରାଯାଇଥିଲା। ଏହା ପରେ ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତଙ୍କୁ ପିଟିପିଟି ହତ୍ୟା କରାଯାଇଛି।
ସୂଚନା ଅନୁଯାୟୀ, ସୂର୍ଯ୍ୟପୁର ହାଟ ଅଞ୍ଚଳରେ ଏକ ବସ୍ତାରେ ଭର୍ତ୍ତି ହୋଇଥିବା ନାବାଳିକାର ମୃତଦେହ ମିଳିଥିଲା। ଏହା ପରେ ସ୍ଥାନୀୟ ବାସିନ୍ଦା ବିରୋଧ ପ୍ରଦର୍ଶନ କରିଥିଲେ ଏବଂ ବରୁଇପୁର-ଜୟନଗର ରାସ୍ତା ଅବରୋଧ କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରିବା ଦାବି କରି ପ୍ରଦର୍ଶନକାରୀ ଟାୟାର ଜାଳି କିଛି ପୋଲିସ ଗାଡ଼ିକୁ କ୍ଷତି ପହଞ୍ଚାଇଥିଲେ।
ଉତ୍ତ୍ୟକ୍ତ ଜନତା ନାବାଳିକାର ମୃତ୍ୟୁରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଥିଲେ। ପୋଲିସ କହିଛି ଯେ, ଝିଅର ମୃତ୍ୟୁ ଘଟଣାରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମୃତ ଝିଅର ବାପାଙ୍କ ସହ ଫୋନରେ କଥା ହୋଇ ଦୋଷୀଙ୍କ ବିରୁଦ୍ଧରେ ଯଥାସମ୍ଭବ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସେମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି।


