ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ସାପ୍ତାହିକ ‘ମଙ୍ଗଳ ମିଳନ’ ବୈଠକ ମଙ୍ଗଳବାର (ଅଗଷ୍ଟ 4) ନୂଆଦିଲ୍ଲୀର ସଂସଦ ପାଠାଗାର ଭବନସ୍ଥିତ ଜିଏମସି ବାଲଯୋଗୀ ଅଡିଟୋରିୟମ୍ରେ ସକାଳ 9.30ରେ ଅନୁଷ୍ଠିତ ହେବ। ଏହି ବୈଠକରେ ଏନଡିଏର ସାଂସଦ ଓ ବରିଷ୍ଠ ନେତାମାନେ ଯୋଗଦେବେ।
ସୂଚନାନୁସାରେ, ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ପରିପ୍ରେକ୍ଷୀରେ ବୈଠକରେ ସଂସଦୀୟ ରଣନୀତି, ସରକାରଙ୍କ ପ୍ରମୁଖ ଯୋଜନା, ବିଭିନ୍ନ ମନ୍ତ୍ରଣାଳୟର କାର୍ଯ୍ୟ ପ୍ରଗତି ଏବଂ ବିରୋଧୀଙ୍କ ଉଠାଉଥିବା ପ୍ରସଙ୍ଗର ମୁକାବିଲା ପାଇଁ ରଣକୌଶଳ ଉପରେ ଆଲୋଚନା ହୋଇପାରେ।
ଗତ ସପ୍ତାହର ‘ମଙ୍ଗଳ ମିଳନ’ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଏନଡିଏର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।
ସେହି ବୈଠକରେ କେନ୍ଦ୍ର ସଂସଦୀୟ ବ୍ୟାପାରମନ୍ତ୍ରୀ କିରେନ ରିଜିଜୁ ସାଂସଦମାନଙ୍କୁ ସମ୍ବୋଧିତ କରିଥିବା ବେଳେ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ ଭାରତର ସାମ୍ପ୍ରତିକ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ଓ ଏହାର କୌଶଳଗତ ଗୁରୁତ୍ୱ ସମ୍ପର୍କରେ ସାଂସଦମାନଙ୍କୁ ଅବଗତ କରାଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ (ଲଲ୍ଲନ ସିଂହ) ମତ୍ସ୍ୟ କ୍ଷେତ୍ରର ବିକାଶ, ସରକାରୀ ପଦକ୍ଷେପ ଏବଂ ଭବିଷ୍ୟତ ରୋଡମ୍ୟାପ୍ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।
ଏପଟେ, ସଂସଦରେ ବିରୋଧୀ ଦଳ 20 ଜୁଲାଇର ପ୍ରଦର୍ଶନକାରୀଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଏବଂ ଅଯୋଧ୍ୟା ରାମମନ୍ଦିର ପ୍ରସାଦ ଚୋରି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବା ଜାରି ରଖିଛି। ଏଭଳି ପରିସ୍ଥିତିରେ ଆସନ୍ତାକାଲିର ଏନଡିଏ ବୈଠକରେ ବିରୋଧୀଙ୍କ ଆକ୍ରମଣର ଜବାବ ଦେବା ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ ହୋଇପାରେ।


