ରଣପୁର: କ୍ରାନ୍ତି ଦିବସ ଅବସରରେ ଭାରତ ସରକାରଙ୍କ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନ୍ତର୍ଗତ ରବିବାର ରଣପୁର ଏନ୍ଏସି ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଅପରାହ୍ନ ୩ଟା ୩୦ମିନିଟରେ ବସ୍ଷ୍ଟାଣ୍ଡ ଛକରୁ ବାହାରିଥିବା ଏହି ଶୋଭାଯାତ୍ରାରେ ୧୨୦ ମିଟର ଲମ୍ବା ବିଶାଳ ତ୍ରିରଙ୍ଗା ସମସ୍ତଙ୍କ ମୁଖ୍ୟ ଆକର୍ଷଣ ପାଲଟିଥିଲା। ହଜାର ହଜାର ଦେଶପ୍ରେମୀ ହାତରେ ତ୍ରିରଙ୍ଗା ଧରି ‘ଭାରତ ମାତା କୀ ଜୟ’ ଧ୍ୱନିରେ ସମଗ୍ର ରଣପୁରକୁ ପ୍ରକମ୍ପିତ କରିଥିଲେ।
ଶୋଭାଯାତ୍ରା ପଞ୍ଚୁଦୋଳ ପଡ଼ିଆ ନିକଟରେ ଥିବା ଶହୀଦ ରଘୁ–ଦିବାକରଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବା ପରେ ଶହୀଦମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଦେଶର ସ୍ୱାଧୀନତା ପାଇଁ ଜୀବନ ବଳିଦାନ କରିଥିବା ବୀର ସହିଦମାନଙ୍କ ସ୍ମୃତିରେ ପରିବେଶ ଭାବପ୍ରବଣ ହୋଇଉଠିଥିଲା। ତ୍ରିରଙ୍ଗାର ଗର୍ବ, ଶହୀଦଙ୍କ ପ୍ରତି ଶ୍ରଦ୍ଧା ଓ ଦେଶପ୍ରେମର ଉତ୍ସାହରେ ରଣପୁର ପାଲଟିଥିଲା ଏକ ମିନି ଭାରତର ଚିତ୍ର।
ଏହି ଭବ୍ୟ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ, ପୁରୀ ଲୋକସଭା ସାଂସଦ ଡ଼. ସମ୍ବିତ ପାତ୍ର, ରଣପୁର ଏନ୍ଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ବ୍ଲକ ଉପାଧ୍ୟକ୍ଷ ପ୍ରଭାତ ଦଳବେହେରା, ସମାଜସେବୀ ପ୍ରିୟବ୍ରତ ପ୍ରହରାଜ, ପରେଶ ମିଶ୍ର, ସ୍ୱରାଜ ମହାନ୍ତି, ତହସିଲଦାର ଆର୍ଯ୍ୟକୁମାର ସର୍ବଦମନ, ବିଡିଓ ମନୋଜ କୁମାର ନାୟକ, ଏନ୍ଏସି ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର ଏବଂ ରଣପୁର ଥାନା ଅଧିକାରୀ ଆଶିଷ ଦେବ ସାହୁଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ଯୋଗଦେଇଥିଲେ।
କାଉନସିଲର, ସରପଞ୍ଚ, ସମିତି ସଭ୍ୟ, ଅଙ୍ଗନୱାଡି ଓ ଆଶାକର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ରଣପୁର ମହାବିଦ୍ୟାଳୟ ଏବଂ ପିଏମ୍ଶ୍ରୀ ବି.ସି. ହାଇସ୍କୁଲର ଏନ୍ସିସି କ୍ୟାଡେଟ୍ଙ୍କ ସମେତ ହଜାର ହଜାର ପୁରୁଷ ଓ ମହିଳା ଉତ୍ସାହର ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।


