କେନ୍ଦୁଝର: ଲଗାଣ ବର୍ଷା ଯୋଗୁଁ କେନ୍ଦୁଝର ଜିଲ୍ଲାରେ ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। କେନ୍ଦୁଝର ପାଟଣାରେ ବୈତରଣୀ ନଦୀ ବିପଦ ସଂକେତ ଟପିଥିବା ବେଳେ ଆନନ୍ଦପୁରରେ ମଧ୍ୟ ନଦୀର ଜଳସ୍ତର ବିପଦ ସୀମା ଅତିକ୍ରମ କରିଛି।
କେନ୍ଦୁଝର ପାଟଣା ପାଟଣାରେ ବୈତରଣୀର ବିପଦ ସଂକେତ ୩୧୧.୧୦ ମିଟର ରହିଥିବା ବେଳେ ଜଳସ୍ତର ୩୧୨.୮୦ ମିଟରରେ ପହଞ୍ଚିଛି। ସେହିପରି ଆନନ୍ଦପୁରରେ ବିପଦ ସଂକେତ ୩୮.୩୬୦ ମିଟର ଥିବା ବେଳେ ନଦୀର ଜଳସ୍ତର ୩୮.୮୧୦ ମିଟର ରହିଛି।
ବୈତରଣୀର ଜଳସ୍ତର ଆହୁରି ବଢ଼ିବାର ଆଶଙ୍କା ଥିବାରୁ ତଳିଆ ଅଞ୍ଚଳରେ ଚିନ୍ତା ବଢ଼ିଛି। ନଦୀର ସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ଜଳସମ୍ପଦ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ବୈତରଣୀର ଜଳସ୍ତର ବୃଦ୍ଧି ନେଇ ଜଳସମ୍ପଦ ବିଭାଗର ମନ୍ତ୍ରୀ ମଧ୍ୟ ସତର୍କ କରାଇଛନ୍ତି।
ବନ୍ୟାଜଳ ଆହୁରି ବଢ଼ିଲେ ନଦୀକୂଳିଆ ଓ ତଳିଆ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ପାଇଁ ପ୍ରସ୍ତୁତି କରାଯାଉଛି।


