ଭୁବନେଶ୍ୱର: ଲଗାଣ ବର୍ଷା ଓ ନଦୀରେ ବଢ଼ୁଥିବା ଜଳସ୍ତର ଯୋଗୁଁ ଉତ୍ତର ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡ଼ିଛି। ବୈତରଣୀ, ସାଳନ୍ଦୀ ଓ ଜଳକା ନଦୀର ପାଣି ବିପଦସୀମା ଟପିବାରୁ ଅନେକ ଗାଁ ଜଳମଗ୍ନ ହୋଇଛି। ଯାଜପୁରର ବରୀ ବ୍ଲକ୍ର ୨୯ଟି ପଞ୍ଚାୟତର ୮୪ଟି ଗାଁର ପ୍ରାୟ ୧,୨୦,୭୨୦ ଜଣ ଲୋକ ପ୍ରଭାବିତ ହୋଇଛନ୍ତି।
ଭଦ୍ରକର ଆଖୁଆପଦାରେ ବୈତରଣୀ ଓ ସାଳନ୍ଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେବାରୁ ଭଣ୍ଡାରିପୋଖରୀ ଓ ଧାମନଗରର ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି। ବନ୍ୟା ସ୍ଥିତି ଅନୁଧ୍ୟାନ କରି ରିଲିଫ୍ ଓ ଉଦ୍ଧାର ବ୍ୟବସ୍ଥା ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।
ଯାଜପୁର ଦଶରଥପୁରରେ କାଣୀ ନଦୀ ବନ୍ଧ ଧସିବା ପରେ ମରାମତି କାର୍ଯ୍ୟ ଜୋରଦାର ହୋଇଛି। ବାଲେଶ୍ୱର ବସ୍ତାରେ ଜଳକା ନଦୀ ପାଣିରେ ପ୍ରାୟ ୧୦୦ ଘର ପ୍ରଭାବିତ ହୋଇଥିବା ବେଳେ ପଞ୍ଚଲିଙ୍ଗେଶ୍ୱର ପୀଠ ବନ୍ଦ ରହିଛି। ବାରିପଦାରେ ବନ୍ୟା ପ୍ରଭାବରେ ରେଳଧାରଣା ଦବିବା ଯୋଗୁଁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି।
ଅନ୍ୟପକ୍ଷରେ କେନ୍ଦ୍ରାପଡ଼ାରେ ବନ୍ୟାଜଳ ଘେରରେ ଥିବା ଆଶ୍ରମ ବିଦ୍ୟାଳୟରୁ ପ୍ରାୟ ୩୦୦ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ସୁନ୍ଦରଗଡ଼ ଓ ଢେଙ୍କାନାଳରେ ମଧ୍ୟ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ଆଗକୁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ସତର୍କତା ଜାରି କରିଛି।


