ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁସ୍ଥିତ NTPC ପାୱାର ପ୍ଲାଣ୍ଟରେ ଶନିବାର ଏକ ଭୟଙ୍କର ବିସ୍ଫୋରଣ ଘଟି ଆତଙ୍କ ସୃଷ୍ଟି ହୋଇଛି। ପାୱାର ପ୍ଲାଣ୍ଟର ବଙ୍କର-ବିରେ ହଠାତ୍ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏହି ଅଘଟଣରେ ସେଠାରେ କାର୍ଯ୍ୟରତ ୫ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି।
ବିସ୍ଫୋରଣ ପରେ ଆହତ ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ତାଳଚେର ଓ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ ୩ ଜଣ ଶ୍ରମିକଙ୍କୁ ତାଳଚେରକୁ ଏବଂ ଅନ୍ୟ ୨ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ପଠାଯାଇଛି। ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଏପର୍ଯ୍ୟନ୍ତ ବିସ୍ତୃତ ସୂଚନା ମିଳିନାହିଁ।
ତେବେ ପାୱାର ପ୍ଲାଣ୍ଟର ବଙ୍କର-ବିରେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ପରେ ପାୱାର ପ୍ଲାଣ୍ଟ ପରିସରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବାବେଳେ ବିସ୍ଫୋରଣର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ ହୋଇଛି।
ଘଟଣାର ଖବର ପାଇ ଉଚ୍ଚ ପଦାଧିକାରୀମାନେ ପାୱାର ପ୍ଲାଣ୍ଟରେ ପହଞ୍ଚିଛନ୍ତି। ସେମାନେ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବା ସହ ବିସ୍ଫୋରଣର କାରଣ ଏବଂ ଘଟଣାର ପରିସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି। ତଦନ୍ତ ପରେ ହିଁ ବିସ୍ଫୋରଣର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।


