ନୂଆଦିଲ୍ଲୀ: ଶେଖ୍ ହସିନାଙ୍କୁ ନେଇ ଭାରତ-ବାଂଲାଦେଶ ସମ୍ପର୍କରେ ଜାରି ରହିଥିବା ଟଣାଓଟରା ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ୍ ରହମାନଙ୍କ ସମ୍ଭାବ୍ୟ ଭାରତ ଗସ୍ତକୁ ନେଇ କୂଟନୈତିକ ମହଲରେ ଚର୍ଚ୍ଚା ବଢ଼ିଛି। ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୩ରୁ ୨୫ ମଧ୍ୟରେ ତାରିକ୍ ରହମାନ ନୂଆଦିଲ୍ଲୀ ଗସ୍ତ କରିପାରନ୍ତି। ଫେବୃଆରୀରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ ବୋଲି ଚର୍ଚ୍ଚା ହେଉଛି।
ଗତ କିଛି ସମୟ ଧରି ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ବଢ଼ିଛି। ବିଶେଷକରି ଶେଖ୍ ହସିନା ଭାରତରେ ରହିବା ଏବଂ ତାଙ୍କ ପ୍ରତ୍ୟର୍ପଣ ପାଇଁ ଢାକାର ଦାବିକୁ ନେଇ ଦୁଇ ଦେଶ ମଧ୍ୟରେ ମତଭେଦ ରହିଛି। ଏଭଳି ସ୍ଥିତିରେ ତାରିକ୍ ରହମାନଙ୍କ ଭାରତ ଗସ୍ତକୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କରେ ନୂଆ ଅଧ୍ୟାୟ ଆରମ୍ଭ କରିବାର ଏକ ପ୍ରୟାସ ଭାବେ ଦେଖାଯାଉଛି।
ତାରିକ୍ ରହମାନଙ୍କ ଭାରତ ଗସ୍ତ ପୂର୍ବରୁ ଶେଖ୍ ହସିନା ପ୍ରସଙ୍ଗ ସବୁଠାରୁ ବଡ଼ କୂଟନୈତିକ ଚ୍ୟାଲେଞ୍ଜ ହୋଇ ରହିଛି। ହସିନାଙ୍କୁ ଭାରତରୁ ପ୍ରତ୍ୟର୍ପଣ କରିବା ପାଇଁ ବାଂଲାଦେଶ ନୂଆଦିଲ୍ଲୀକୁ ଦାବି କରିଆସୁଛି। ଅନ୍ୟପଟେ, ହସିନା ଭାରତରେ ରହିବା ଏବଂ ସମୟ ସମୟରେ ତାଙ୍କ ବିବୃତ୍ତିକୁ ନେଇ ଢାକା ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ରହମାନଙ୍କ ଗସ୍ତ ସମୟରେ ଏହି ପ୍ରସଙ୍ଗ ଗୁରୁତ୍ୱ ପାଇବାର ସମ୍ଭାବନା ରହିଛି।
ରହମାନଙ୍କ ସମ୍ଭାବ୍ୟ ଭାରତ ଗସ୍ତ ନେଇ ଦୁଇ ଦେଶ ମଧ୍ୟରେ ଗତ କିଛି ସପ୍ତାହ ଧରି ଆଲୋଚନା ଚାଲିଥିବା ରିପୋର୍ଟରେ କୁହାଯାଇଛି। ତେବେ ଗସ୍ତ ପାଇଁ ଉପଯୁକ୍ତ ଏବଂ ଅନୁକୂଳ କୂଟନୈତିକ ପରିବେଶ ଆବଶ୍ୟକ ବୋଲି ଢାକା ପକ୍ଷରୁ ସଙ୍କେତ ଦିଆଯାଇଥିଲା। ଏହା ମଧ୍ୟରେ ହସିନାଙ୍କ ବିଭିନ୍ନ ବିବୃତ୍ତିକୁ ନେଇ ବାଂଲାଦେଶ ଅସନ୍ତୋଷ ପ୍ରକାଶ କରିଛି।
ରହମାନଙ୍କ ଗସ୍ତ ସଫଳ ହେଲେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ପୁଣି ମଜବୁତ କରିବାର ରାସ୍ତା ଖୋଲିପାରେ। ବାଣିଜ୍ୟ, ସୀମା ସୁରକ୍ଷା, ଯୋଗାଯୋଗ, ଜଳ ବଣ୍ଟନ ଓ ଆଞ୍ଚଳିକ ସହଯୋଗ ଭଳି ଏକାଧିକ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇପାରେ। ତେବେ ଶେଖ୍ ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ ଦୁଇ ଦେଶର ଆଲୋଚନାରେ ସବୁଠାରୁ ସମ୍ବେଦନଶୀଳ ବିଷୟ ହୋଇ ରହିବ ବୋଲି କୂଟନୈତିକ ମହଲରେ ଚର୍ଚ୍ଚା ହେଉଛି।
ଦୀର୍ଘ ଦିନର ତିକ୍ତତା ପରେ ଦୁଇ ପଡ଼ୋଶୀ ଦେଶର ସମ୍ପର୍କକୁ ସ୍ୱାଭାବିକ କରିବା ଦିଗରେ ତାରିକ୍ ରହମାନଙ୍କ ସମ୍ଭାବ୍ୟ ନୂଆଦିଲ୍ଲୀ ଗସ୍ତ ଏକ ବଡ଼ ପଦକ୍ଷେପ ହୋଇପାରେ। ଏବେ ସମସ୍ତଙ୍କ ନଜର ରହିଛି—ଅଗଷ୍ଟ ୨୩ରୁ ୨୫ ମଧ୍ୟରେ ହେବାକୁ ଥିବା ଏହି ଗସ୍ତରେ ଭାରତ ଓ ବାଂଲାଦେଶ ସମ୍ପର୍କକୁ ନେଇ କେଉଁ ନୂଆ ବାର୍ତ୍ତା ସାମ୍ନାକୁ ଆସୁଛି।


