ଫ୍ରାନ୍ସ: ସୋମବାର ବିଳମ୍ବିତ ରାତିରେ ଫ୍ରାନ୍ସର ଏକ ଗାଁରେ ଘଣ୍ଟାପ୍ରତି ୧୧୭ କିଲୋମିଟର ବେଗରେ ଏକ ଶକ୍ତିଶାଳୀ ଟର୍ଣ୍ଣାଡୋ (ଘୂର୍ଣ୍ଣିଝଡ଼) ମାଡ଼ ହୋଇଛି। ଏଥିରେ ୪୧ ଜଣ ଆହତ ହୋଇଛନ୍ତି ଏବଂ ୩୦୦ରୁ ଊର୍ଦ୍ଧ୍ୱ ଘର କ୍ଷତିଗ୍ରସ୍ତ ହୋଇଛି। ଅନେକ ଘରର ଛାତ ଉଡିଯାଇଥିବା ବେଳେ ଟ୍ରେନ୍ ଲାଇନ, ରାଜମାର୍ଗ ଆଦି ଖରାପ ହୋଇପଡିଛି। ଫଳରେ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ବିମାନ ସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ସୂଚନା ମିଳିଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରାୟ ୧,୦୦୦ ଜନସଂଖ୍ୟା ବିଶିଷ୍ଟ “ପୋମାସ୍’ ଗାଁରେ ଟର୍ନେଡୋ ଯୋଗୁଁ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏଠାରେ ପ୍ରାୟ ୩୦୦ ଘର କ୍ଷତିଗ୍ରସ୍ତ ହୋଇଛି ଏବଂ କେତେକ ଘରର ଛାତ ସମ୍ପୂର୍ଣ୍ଣ ଉଡ଼ିଯାଇଛି। ପରିବହନ ମନ୍ତ୍ରୀ ଫିଲିପ୍ ତବାରୋ କହିଛନ୍ତି ଯେ ଟ୍ରେନ୍ ଚଳାଚଳ ବିଳମ୍ବ ହୋଇଛି, ସଡ଼କଗୁଡ଼ିକୁ ବନ୍ଦ କରିବାକୁ ପଡ଼ିଛି ଏବଂ ବିମାନବନ୍ଦରଗୁଡ଼ିକରେ ଉଡ଼ାଣ ବିଳମ୍ବ ସହ କେତେକ ବିମାନ ସେବା ବାତିଲ କରାଯାଇଛି। ଦେଶର ଦକ୍ଷିଣ-ପଶ୍ଚିମ ଭାଗର କେତେକ ଅଞ୍ଚଳରେ ଏହି ଝଡ଼ ତୋଫାନ୍କୁ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିଲା।


