ବାଣପୁର: ଶ୍ରାବଣ ପୂର୍ଣ୍ଣିମା ଅବସରରେ ସମଗ୍ର ଉତ୍କଳରେ ପ୍ରଭୁ ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ ଭାବେ ଗହ୍ମା ପର୍ବ ପାଳିତ ହୋଇଥାଏ। ବିଭିନ୍ନ ବିଷ୍ଣୁ ମନ୍ଦିରରେ ଏହି ପର୍ବ ଆନନ୍ଦ ଉଲ୍ଲାସର ସହ ପାଳନ ହେଉଥିବା ବେଳେ ଶକ୍ତିପୀଠ ବାଣପୁରର ଆରାଧ୍ୟା ମା’ ଭଗବତୀଙ୍କ ପୀଠରେ ଗହ୍ମା ପର୍ବ ପାଳନ ଏକ ନିଆରା ଓ ସ୍ୱତନ୍ତ୍ର ପରମ୍ପରାର ପରିଚୟ ଦେଇଥାଏ।
ଶ୍ରାବଣ ପୂର୍ଣ୍ଣିମା ରାତିରେ ମା’ ଭଗବତୀଙ୍କ ଚଳନ୍ତି ପ୍ରତିମା ସ୍ତମ୍ବେଶ୍ୱରୀ କାଠି ଠାକୁରାଣୀ ବନଦୁର୍ଗା ବେଶରେ ପ୍ରଭୁ ଚନ୍ଦ୍ରଶେଖର ଓ ଶ୍ରୀଗୋପୀନାଥଙ୍କ ସହ ଏକ ବିରାଟ ଥାଟପଟୁଆରରେ ବାହାରିଥିଲେ। ନିଯୋଗୀ ସେବାୟତଙ୍କ ସହ ଘଣ୍ଟା, କାହାଳୀ, ଆଲଟ, ଚାମର, ଛତ୍ର, ତରାଶ, ଯୋଡ଼ା ମଶାଲ ଓ ବାଦ୍ୟରୋଶଣୀରେ ଶୋଭାଯାତ୍ରା ପୂର୍ବ ଦିଗକୁ ବାହାରି ସ୍ଥାନୀୟ ବିଷରପାଟଣା ଛକ ନିକଟରେ ପହଞ୍ଚିଥିଲା।
ସେଠାରେ ପଲେଇ ସେବକଙ୍କ ଦ୍ୱାରା ପୂର୍ବରୁ ପ୍ରସ୍ତୁତ ବାଲି ବେଦୀ ଉପରେ ମା’ଙ୍କ ଚଳନ୍ତି ପ୍ରତିମାଙ୍କୁ ଉପବେଶନ କରାଯାଇଥିଲା। ଏହି ଅବସରରେ ଏକ ବାଛୁରୀକୁ ପ୍ରଭୁ ବଳଭଦ୍ରଙ୍କ ପ୍ରତୀକ ଭାବେ ରଖାଯାଇ ଚନ୍ଦନ, ସିନ୍ଦୁର ଓ ପୁଷ୍ପମାଲ୍ୟରେ ସଜ୍ଜିତ କରାଯାଇଥିଲା।
ପୂଜକଙ୍କ ଦ୍ୱାରା ଦୀପ, ଧୂପ ଓ ନୈବେଦ୍ୟ ଅର୍ପଣ କରାଯାଇ ପଞ୍ଚୋପଚାରରେ ପୂଜା ସମ୍ପନ୍ନ ହୋଇଥିଲା। କଦଳୀ ପତ୍ରରେ ନଡ଼ିଆପାତି, ଶାକର ଓ ଫଳମୂଳ ନୈବେଦ୍ୟ ଭାବେ ଅର୍ପଣ କରାଯାଇ ଆଳତି କରାଯାଇଥିଲା।
ପୂଜା ଓ ଆଳତି ପରେ ଘଣ୍ଟା-କାହାଳୀ ବାଦନ ସହ ମା’ଙ୍କ ଜୟଜୟକାର ଧ୍ୱନିରେ ବାଛୁରୀକୁ ବାଲି ବେଦୀ ଡିଆଁଇ ‘ଗହ୍ମାଡ଼ିଆଁ’ ନୀତି ସମ୍ପନ୍ନ କରାଯାଇଥିଲା। ଏହି ନିଆରା ପରମ୍ପରା ଦେଖିବା ପାଇଁ ବାଣପୁର ସମେତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ନୀତି ସମାପ୍ତ ପରେ ମା’ କାଠି ଠାକୁରାଣୀ ପୂଜକଙ୍କ ଦୁଆରକୁ ଦୁଆର ଯାଇ ଭୋଗ ଗ୍ରହଣ କରିବା ପରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।
ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବାଣପୁର ଥାନାଧିକାରୀ ଜୟପ୍ରକାଶ ପରିଡ଼ାଙ୍କ ନେତୃତ୍ୱରେ ପୁଲିସ ବାହିନୀ ମୁତୟନ ହୋଇଥିଲା। ଏଥିସହ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରାଯାଇଥିବା ମନ୍ଦିର ସୂତ୍ରରୁ ଜଣାପଡ଼ିଛି।


