ରଣପୁର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରଣପୁର ବ୍ଲକ ପ୍ରଶାସନର ଆନୁକୂଲ୍ୟରେ ସୋମବାର ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣାଯିବା ସହ ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଶିବିରରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଜିଲ୍ଲା ପରିଷଦ ସଭାପତି ଇଂ. ଦେବାଶିଷ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣ୍ଡେଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।
ଲୋକମାନେ ଯେପରି ଶୀଘ୍ର ଓ ସୁବିଧାରେ ପ୍ରଶାସନିକ ସେବା ପାଇପାରିବେ, ସେଥିପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ରଣପୁର ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରଶାସନିକ ସେବା କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଥିଲେ। ଏହା ମାଧ୍ୟମରେ ଲୋକଙ୍କ ସମସ୍ୟାର ସମାଧାନ ଅଧିକ ସହଜ ଓ ତ୍ୱରିତ ହୋଇପାରିବ ବୋଲି ସେ କହିଥିଲେ।
ଶିବିରରେ କୃଷି, ପଞ୍ଚାୟତିରାଜ, ମତ୍ସ୍ୟ ଓ ପଶୁପାଳନ, ଉଦ୍ୟାନ, ସ୍ୱାସ୍ଥ୍ୟ, ବିଦ୍ୟୁତ, ଶିଶୁ କଲ୍ୟାଣ, ରାଜସ୍ୱ, ଜଙ୍ଗଲ ଓ ଶିକ୍ଷା ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ।
ଶିବିରରେ ସର୍ବମୋଟ ୧୯୪ଟି ଲିଖିତ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧୭୪ଟି ଗ୍ରାମ୍ୟ ସମସ୍ୟା, ୫ଟି ମୁଖ୍ୟମନ୍ତ୍ରୀ ସହାୟତା ସମ୍ପର୍କିତ ଏବଂ ୧୫ଟି ଅନ୍ୟାନ୍ୟ ଅଭିଯୋଗ ରହିଥିଲା। ଏଥିରୁ ୧୦୬ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିବା ଜଣାପଡ଼ିଛି।
ରଣପୁର ବିଡିଓ ମନୋଜ କୁମାର ନାୟକ ଶିବିରକୁ ଶୃଙ୍ଖଳିତ ଭାବେ ପରିଚାଳନା କରିଥିବାବେଳେ ବ୍ଲକର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।


