ପୋର୍ଟ ହାରକୋର୍ଟ (ନାଇଜେରିଆ): ନାଇଜେରିଆର ତେଲ ସମୃଦ୍ଧ ଅଞ୍ଚଳ ଦକ୍ଷିଣ ନାଇଜର ଡେଲ୍ଟାରେ ଏକ ପାଇପ୍ଲାଇନରୁ ଇନ୍ଧନ ଚୋରି କରିବା ସମୟରେ ଦୁର୍ଭାଗ୍ୟବଶତଃ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ଅତି କମରେ ୩୭ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ରିଭର୍ସ ରାଜ୍ୟର ଓକ୍ରିକା ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି। ଓପେକ୍ର ସ୍ଥାୟୀ ସଦସ୍ୟ ଥିବା ଆଫ୍ରିକାର ଅନ୍ୟତମ ବୃହତ୍ତମ ପେଟ୍ରୋଲିୟମ ଉତ୍ପାଦକ ଦେଶ ନାଇଜେରିଆରେ ବେଆଇନ ଭାବେ ତେଲ ଚୋରି ଏକ ପ୍ରମୁଖ ସମସ୍ୟା ସାଜିଥିବା ବେଳେ ଏଥିଯୋଗୁ ଗୁରୁତର ଭାବେ ପରିବେଶ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପ୍ରକାଶ, ନାଇଜର ଡେଲ୍ଟାର ଜଳାଭୂମି ଅଞ୍ଚଳଗୁଡ଼ିକରେ ଏଭଳି ଦୁର୍ଘଟଣା ସାଧାରଣ କଥା। କାରଣ ଅଶୋଧିତ ତେଲ ଚୋରି କରି ବିକ୍ରି କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଲୋକେ ବରାବର ଏପ୍ରକାର ନିଜ ଜୀବନକୁ ବିପଦମୁହଁକୁ ଠେଲିଦେଇଥାନ୍ତି ଏବଂ ପାଇପଲାଇନ୍ରୁ ତେଲ କାଢ଼ିଥାନ୍ତି।
ୟୁଥ୍ସ ଆଣ୍ଡ ଏନଭାଇରନମେଣ୍ଟାଲ ଆଡଭୋକେସି ସେଣ୍ଟର’ ନାମକ ଏକ ସ୍ଥାନୀୟ ପରିବେଶବାଦୀ ଗୋଷ୍ଠୀ (ଏନ୍ଜିଓ) ଦର୍ଶାଇଛି ଯେ ମୃତକମାନେ ତେଲ ଚୋର ବୋଲି ସନ୍ଦେହ କରାଯାଉଛି ଏବଂ ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି। ମୃତକଙ୍କ ମଧ୍ୟରେ ଅଧିକାଂଶ ଯୁବବର୍ଗର ବ୍ୟକ୍ତିବିଶେଷ ରହିଥିବା ବେଳ ଏମାନେ ଉତ୍ପାଦକ କମ୍ପାନୀ ଇଣ୍ଡୋରାମା ଏଲେମେ ପେଟ୍ରୋକେମିକାଲରୁ ପୋର୍ଟ ହାରକୋର୍ଟ ରିଫାଇନାରୀ ଦେଇ ରପ୍ତାନି ପାଇଁ ଜାହାଜଗୁଡ଼ିକୁ ଅଶୋଧିତ ତେଲ ପରିବହନ କରୁଥିବା ପାଇପଲାଇନ ସହ ଏକ ଅନ୍ୟ ପାଇପ୍ ଯୋଡ଼ି ତେଲ ଚୋରି କରୁଥିଲେ ଏବଂ ନିଜ ଡଙ୍ଗାରେ ଭରୁଥିଲେ। ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି ଏବଂ ନଦୀରେ କିଛି ଶବ ଭାସୁଥିବାର ଦେଖାଯାଇଛି, କିନ୍ତୁ ସେଗୁଡ଼ିକୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ ବୋଲି ଜଣାପଡ଼ିଛି। ଅକ୍ଟୋବର ୨୦୨୩ ପରଠାରୁ ଏହା ସବୁଠୁ ବଡ଼ ତୈଳ ସମ୍ବନ୍ଧୀୟ ଚୋରି ସମ୍ବନ୍ଧୀୟ ଦୁର୍ଘଟଣା ଭାବେ ବିବେଚନା କରାଯାଉଛି।


