ବେଜିଂ: ଚୀନ୍ର ମୋକିଠାରେ ଆୟୋଜିତ ଜୁନିୟର ପୁରୁଷ ଏସିଆ କପ୍ ୨୦୨୬ ହକି ପ୍ରତିଯୋଗିତାରେ ଭାରତୀୟ ଜୁନିୟର ଦଳ ବିଶାଳ ବିଜୟ ସହ ନିଜର ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍ ‘ଏ’ର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ଏକପାଖିଆ ଭାବେ ଇଣ୍ଡୋନେସିଆକୁ ୧୪-୦ ଗୋଲରେ ସୋଚନୀୟ ଭାବେ ପରାସ୍ତ କରିଛି। ଏହି ମ୍ୟାଚରେ ଭାରତୀୟ ଦଳର ତାରକା ଖେଳାଳି ପ୍ରଭଦୀପ ସିଂହ ସର୍ବାଧିକ ୫ଟି ଗୋଲ ସଂଗ୍ରହ କରି ‘ମ୍ୟାଚର ଶ୍ରେଷ୍ଠ ଖେଳାଳି’ ବିବେଚିତ ହୋଇଛନ୍ତି। ସେହିପରି ଅଧିନାୟକ ଅନମୋଲ ଏକ୍କା ୪ଟି ଗୋଲ, ଅଜିତ ଯାଦବ ୩ଟି ଗୋଲ ଏବଂ ହରପାଲ ଓ ଆଶୁ ମୌର୍ଯ୍ୟ ୧-୧ଟି ଗୋଲ ସ୍କୋର କରି ଦଳର ଏହି ବିଶାଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।
ମ୍ୟାଚର ପ୍ରାରମ୍ଭରୁ ହିଁ ଭାରତୀୟ ଦଳ ଅତ୍ୟନ୍ତ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଇଣ୍ଡୋନେସିଆ ଉପରେ କ୍ରମାଗତ ଚାପ ସୃଷ୍ଟି କରିଥିଲା। ମ୍ୟାଚର ୫ମ ମିନିଟରେ ପ୍ରଭଦୀପ ପ୍ରଥମ ଗୋଲ କରି ଭାରତକୁ ଅଗ୍ରଣୀ କରାଇଥିବା ବେଳେ ୮ମ ମିନିଟରେ ହରପାଲ ଅନ୍ୟ ଗୋଟିଏ ଗୋଲ ଦେଇ ସ୍କୋର ୨-୦ କରିଥିଲେ। ଦ୍ୱିତୀୟ କ୍ୱାଟରରେ ଅଧିନାୟକ ଅନମୋଲ ୧୬ଶ ମିନିଟରେ ପେନାଲ୍ଟି ଷ୍ଟ୍ରୋକରୁ ଗୋଲ ହାସଲ କରିଥିଲେ। ଏହାର ୪ ମିନିଟ୍ ପରେ ଅଜିତ ଯାଦବ ଗୋଲ କରି ଅଗ୍ରଣୀକୁ ୪-୦କୁ ବୃଦ୍ଧି କରିଥିଲେ। ଏହା ପରେ ପ୍ରଭଦୀପ ୨୬ଶ ଓ ୩୦ଶ ମିନିଟରେ ଗୋଲ ଦେଇ ନିଜର ହ୍ୟାଟ୍ରିକ୍ ପୂରଣ କରିବା ସହ ଦଳକୁ ହାଫ୍-ଟାଇମ୍ ସୁଦ୍ଧା ୬-୦ରେ ଆଗୁଆ ରଖିଥିଲେ।
ତୃତୀୟ କ୍ୱାଟରରେ ମଧ୍ୟ ଭାରତୀୟ ଦଳର ଗୋଲ ବର୍ଷା ଜାରି ରହିଥିଲା। ଅନମୋଲ ୩୫ଶ ଓ ୪୨ଶ ମିନିଟରେ ମିଳିଥିବା ପେନାଲ୍ଟି କୋଣରୁ ଦୁଇଟି ଗୋଲ ହାସଲ କରିଥିଲେ ଏବଂ କ୍ୱାଟର ଶେଷ ହେବା ପୂର୍ବରୁ ପ୍ରଭଦୀପ ଅନ୍ୟ ଗୋଟିଏ ଗୋଲ ଦେଇ ସ୍କୋରକୁ ୯-୦ରେ ପହଞ୍ଚାଇଥିଲେ। ମ୍ୟାଚର ଶେଷ କ୍ୱାଟର ଅତ୍ୟନ୍ତ ରୋମାଞ୍ଚକର ରହିଥିଲା, ଯେଉଁଥିରେ ଭାରତୀୟ ଖେଳାଳିମାନେ ମୋଟ ୫ଟି ଗୋଲ ସ୍କୋର କରିଥିଲେ। ୫୧ତମ ମିନିଟରେ ଅନମୋଲ ନିଜର ୪ର୍ଥ ଗୋଲ ଏବଂ ୫୨ତମ ମିନିଟରେ ପ୍ରଭଦୀପ ନିଜର ୫ମ ଗୋଲ ମାରିଥିଲେ। ୫୩ତମ ମିନିଟରେ ଅଜିତ ଯାଦବ କ୍ରମାଗତ ୨ଟି ଗୋଲ ଦେଇ ନିଜର ହ୍ୟାଟ୍ରିକ୍ ପୂରଣ କରିବା ସହ ବ୍ୟବଧାନକୁ ୧୩-୦କୁ ନେଇଯାଇଥିଲେ। ଶେଷରେ ୫୯ତମ ମିନିଟରେ ଆଶୁ ମୌର୍ଯ୍ୟ ପେନାଲ୍ଟି କୋଣରୁ ଶେଷ ଗୋଲ ଦେଇ ବିଜୟ ବ୍ୟବଧାନକୁ ୧୪-୦ କରିଥିଲେ। ସମଗ୍ର ମ୍ୟାଚରେ ଭାରତୀୟ ଦଳ ୯ଟି ଫିଲ୍ଡ ଗୋଲ, ୪ଟି ପେନାଲ୍ଟି କୋଣ ଏବଂ ୧ଟି ପେନାଲ୍ଟି ଷ୍ଟ୍ରୋକରୁ ଗୋଲ ହାସଲ କରି ନିଜର ଆଧିପତ୍ୟ ଜାହିର କରିଛି।


