ଜୋହାନ୍ସବର୍ଗ: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ଦିନିକିଆ (ODI) ସିରିଜ୍ ପାଇଁ ସାଉଥ୍ ଆଫ୍ରିକା ଦଳ ଘୋଷଣା କରାଯାଇଛି। ନିୟମିତ ଅଧିନାୟକ ଟେମ୍ବା ବାଭୁମା ଦଳର ନେତୃତ୍ୱ ନେବେ। ସେହିପରି ଅଭିଜ୍ଞ ବ୍ୟାଟର ଡେଭିଡ୍ ମିଲର୍ ଏବଂ ୱିକେଟକିପର-ବ୍ୟାଟର କ୍ୱିଣ୍ଟନ୍ ଡି’କକ୍ଙ୍କୁ ଦଳରେ ସାମିଲ କରାଯାଇଛି। ଦୁଇ ଦଳ ମଧ୍ୟରେ ଏହି ଦିନିକିଆ ସିରିଜ୍ ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବାକୁ ଯାଉଛି।
ହାମ୍ଷ୍ଟ୍ରିଙ୍ଗ୍ ସମସ୍ୟା ଯୋଗୁଁ ଆହତ ହୋଇଥିବା ତାରକା ଦ୍ରୁତ ବୋଲର କାଗିସୋ ରବାଡା ଏହି ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଜେରାଲ୍ଡ କୋଏଟ୍ଜୀ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୨୦୨୩ ବିଶ୍ୱକପ୍ ପରଠାରୁ କୋଏଟ୍ଜୀ କୌଣସି ଦିନିକିଆ ମ୍ୟାଚ୍ ଖେଳି ନଥିଲେ ଏବଂ ଗତ ତିନି ବର୍ଷ ଧରି ଆହତ ସମସ୍ୟା ଦେଇ ଗତି କରୁଥିଲେ। ସେ ନିକଟରେ ସାଉଥ୍ ଆଫ୍ରିକା-ଏ’ ପକ୍ଷରୁ ଇଂଲଣ୍ଡ ଲାୟନ୍ସ ଓ ବାଂଲାଦେଶ-ଏ’ ବିପକ୍ଷରେ ମ୍ୟାଚ୍ ଖେଳି ନିଜର ଫିଟ୍ନେସ୍ ସାବ୍ୟସ୍ତ କରିଥିଲେ।
କୋଏଟ୍ଜୀଙ୍କ ସମେତ ମାର୍କୋ ଯାନ୍ସେନ୍, ଲୁଙ୍ଗି ଏନ୍ଗିଡି, କାର୍ବିନ୍ ବଶ୍, କ୍ୱେନା ମଫାକା ଏବଂ ଓଟନିଲ୍ ବାର୍ଟମ୍ୟାନ୍ଙ୍କୁ ନେଇ ଦଳରେ ୬ ଜଣିଆ ଦ୍ରୁତ ବୋଲିଂ ବାହିନୀ ରହିଛନ୍ତି। ସ୍ପିନ୍ ବିଭାଗରେ କେଶବ ମହାରାଜ ଏବଂ ବ୍ୟୋର୍ନ ଫୋର୍ଟୁଇନ୍ଙ୍କୁ ଚୟନ କରାଯାଇଛି। ଫୋର୍ଟୁଇନ୍ ବର୍ତ୍ତମାନ ନାମ୍ବିଆ ଟ୍ରାଇ-ସିରିଜ୍ରେ ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ୱ ନେଉଛନ୍ତି। ତେବେ ନାମ୍ବିଆ ଗସ୍ତରେ ଥିବା ମୂଳ ଦଳରୁ କେବଳ ଟପ୍ ଅର୍ଡର୍ ବ୍ୟାଟର୍ ଟୋନି ଡି’ ଜୋର୍ଜିଙ୍କୁ ଅଷ୍ଟ୍ରେଲିଆ ସିରିଜ୍ ପାଇଁ ମନୋନୀତ କରାଯାଇଛି।
ସାଉଥ୍ ଆଫ୍ରିକା ଦଳ:
ଟେମ୍ବା ବାଭୁମା (ଅଧିନାୟକ), ଓଟନିଲ୍ ବାର୍ଟମ୍ୟାନ୍, କାର୍ବିନ୍ ବଶ୍, ମାଥ୍ୟୁ ବ୍ରିଟ୍ଜକେ, ଜେରାଲ୍ଡ କୋଏଟ୍ଜୀ, କ୍ୱିଣ୍ଟନ୍ ଡି’କକ୍, ଟୋନି ଡି’ ଜୋର୍ଜୀ, ବ୍ୟୋର୍ନ ଫୋର୍ଟୁଇନ୍, ମାର୍କୋ ଯାନସେନ୍, କେଶବ ମହାରାଜ, କ୍ୱେନା ମଫାକା, ଏଡେନ୍ ମାର୍କରମ୍, ଡେଭିଡ୍ ମିଲର୍, ଲୁଙ୍ଗି ଏନ୍ଗିଡ଼ି, ର୍ୟାନ୍ ରିକେଲ୍ଟନ୍, ଟ୍ରିଷ୍ଟନ୍ ଷ୍ଟବ୍ସ।


