ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ରାଜ୍ୟରେ ପୁଣି ଥରେ ବର୍ଷାର ବିସ୍ତୃତି ଓ ପରିମାଣ ବୃଦ୍ଧି ପାଇବାକୁ ଯାଉଛି। ଏହାର ପ୍ରଭାବରେ କାଲିଠାରୁ ଓଡ଼ିଶାର ବିଭିନ୍ନ ଭାଗରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସାରା ରାଜ୍ୟ ପାଇଁ ଚେତାବନୀ ଜାରି କରାଯାଇଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତାହାର ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳରେ ସମୁଦ୍ର ପତ୍ତନରୁ ୭.୬ କିଲୋମିଟର ଉଚ୍ଚତାରେ ଏହି ସକ୍ରିୟ ଘୂର୍ଣ୍ଣିବଳୟ ଗତି କରୁଛି। ଏହା ଅଧିକ ଘନୀଭୂତ ହୋଇ ସେପ୍ଟେମ୍ବର ୧୧ ତାରିଖ ଆଡ଼କୁ ପଶ୍ଚିମ-କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସମେତ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ସେପ୍ଟେମ୍ବର ୯ ତାରିଖ ବୁଧବାରଠାରୁ ହିଁ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ବିଶେଷକରି ସେପ୍ଟେମ୍ବର ୧୦ରୁ ୧୨ ତାରିଖ ମଧ୍ୟରେ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ବର୍ଷାର ପ୍ରାରମ୍ଭିକ ପ୍ରଭାବ ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଅଧିକ ଅନୁଭୂତ ହେବ ଏବଂ ପରବର୍ତ୍ତୀ ସମୟରେ ଏହା ଉପକୂଳ, ମଧ୍ୟ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ବ୍ୟାପିବ। ସେପ୍ଟେମ୍ବର ୧୪ ତାରିଖ ସୁଦ୍ଧା ଏହି ଲଘୁଚାପ ସ୍ଥଳଭାଗ ଅତିକ୍ରମ କରିବା ପରେ ବର୍ଷାର ପରିମାଣ ଧୀରେ ଧୀରେ କମିବ। ଆଗାମୀ କାଲି ପାଇଁ ଉତ୍ତର ଓଡ଼ିଶାର ୩ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ହଳଦିଆ ସତର୍କତା ଜାରି କରାଯାଇଛି। ଏହାସହ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପ୍ରବଳ ଝଡ଼ବର୍ଷା ଓ ଘଡ଼ଘଡ଼ି ନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।


