କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁଟ (ସିସିଆଇ)ରେ ଜଣେ ନାବାଳିକା ଅନ୍ତେବାସୀ ଗର୍ଭବତୀ ହେବା ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ୧୪ ବର୍ଷୀୟ ନାବାଳକ ହୋଇଥିବା ବେଳେ ଅନ୍ୟ ଜଣେ ବିଣ୍ଟୁ (୪୦) ବୋଲି ଚିହ୍ନଟ ହୋଇଛନ୍ତି। ତେବେ ଉଭୟ ନାବାଳିକାଙ୍କୁ ଦୁଷ୍କର୍ମ କରିଛନ୍ତି ନା ଜଣେ ଦୁଷ୍କର୍ମ କରିବା ସହ ଅନ୍ୟ ଜଣେ ସହଯୋଗ କରିଥିବା ଜଣାପଡ଼ିଛି। ସଦର ଥାନା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ନାବାଳକ ଅଭିଯୁକ୍ତଙ୍କୁ ଅନୁଗୁଳସ୍ଥିତ ବାଳସୁଧାର କେନ୍ଦ୍ରକୁ ପଠାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ବିଣ୍ଟୁକୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି।
ଝାଡ଼ଖଣ୍ଡର ଛାଇବସା ଜିଲ୍ଲା ଶିଶୁ ମଙ୍ଗଳ କମିଟି (CWC)ର ଅମିତ ସୌରଭ ପତି ସେପ୍ଟେମ୍ବର ୧ ତାରିଖରେ ସଦର ଥାନାରେ ଏତଲା ଦେବା ପରେ ପୋଲିସ କେସ୍ ନଂ – ୫୨୨/୨୦୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ସମ୍ବେଦନଶୀଳ ଘଟଣାରେ ଶିଶୁ ମଙ୍ଗଳ କମିଟି ମଧ୍ୟ ପୃଥକ ତଦନ୍ତ ଆରମ୍ଭ କରିଛି। ସୁରକ୍ଷା ଦୃଷ୍ଟିରୁ ସିସିଆଇର ଅନ୍ୟ ସମସ୍ତ ଅନ୍ତେବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଗର୍ଭବତୀ ନାବାଳିକା ଜଣକ ଝାଡ଼ଖଣ୍ଡର ହୋଇଥିବା ବେଳେ ୩ ବର୍ଷ ତଳେ ତାଙ୍କୁ ଉଦ୍ଧାର କରାଯାଇ ଏହି ସିସିଆଇରେ ରଖାଯାଇଥିଲା। ଗତ ୩ ମାସ ହେବ ସେ ଗର୍ଭବତୀ ଥିବା ଅଭିଯୋଗ ହୋଇଛି।


