ନୂଆଦିଲ୍ଲୀ: ଅଫିସର କାର୍ଯ୍ୟବ୍ୟସ୍ତତା ମଧ୍ୟରେ କିଛି ସମୟର ବିଶ୍ରାମ ପାଇଁ ପ୍ରସ୍ରାବଗାରକୁ ଯାଉଥିବା କର୍ମଚାରୀମାନେ ଅଜାଣତରେ ଏକ ଅଭିନବ ଶକ୍ତି ବିପ୍ଳବର ଅଂଶବିଶେଷ ପାଲଟିଛନ୍ତି। ନେଦରଲ୍ୟାଣ୍ଡସର ୱାଟର ବୋର୍ଡ ଫ୍ରିସଲ୍ୟାଣ୍ଡ କାର୍ଯ୍ୟାଳୟରେ ନିୟୋଜିତ ପ୍ରାୟ ୨୬୦ ଜଣ ପୁରୁଷ କର୍ମଚାରୀଙ୍କ ଦୈନନ୍ଦିନ ପ୍ରସ୍ରାବକୁ ଏକ ନିର୍ଦ୍ଦିଷ୍ଟ ପାଇପ୍ ମାଧ୍ୟମରେ ସଂଗୃହିତ କରାଯାଇ ପାଖରେ ରଖାଯାଇଥିବା ଏକ କଣ୍ଟେନରକୁ ପଠାଯାଇଛି। ଲିଉୱାର୍ଡେନ୍ସ୍ଥିତ ୱେଟସସ୍ ଜଳ ପ୍ରଯୁକ୍ତିବିଦ୍ୟା ଗବେଷଣା କେନ୍ଦ୍ର ଦ୍ୱାରା ନିର୍ମିତ ଏହି ଜୈବ-ବିଦ୍ୟୁତ୍-ରାସାୟନିକ ପରୀକ୍ଷାଗାରରେ ମୂତ୍ରରୁ ନାଇଟ୍ରୋଜେନ୍, ଫସଫରସ୍ ଓ ଆମୋନିଆ ଭଳି ଗୁରୁତ୍ୱପୂର୍ଣ୍ଣ ସାର ଉପାଦାନ ଅଲଗା କରାଯିବା ସହ ସଫଳତାର ସହ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରିଛି। ବୈଜ୍ଞାନିକମାନଙ୍କ ଅନୁଯାୟୀ, ଏହି ପ୍ରକଳ୍ପରୁ ମିଳୁଥିବା ବିଦ୍ୟୁତ୍ରେ ଏକ ବୈଦ୍ୟୁତିକ କାର୍ ପ୍ରତିଦିନ ପ୍ରାୟ ୫୦ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ।
ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ପଛରେ ଜୀବାଣୁ ବା ବ୍ୟାକ୍ଟେରିଆଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାଧାରଣତଃ ଅଣୁଜୀବମାନେ ଜୈବିକ ପଦାର୍ଥକୁ ଭାଙ୍ଗି ସେଥିରୁ ଇଲେକ୍ଟ୍ରନ୍ ବାହାର କରି ଅମ୍ଳଜାନକୁ ହସ୍ତାନ୍ତର କରିଥାନ୍ତି। ତେବେ ଅମ୍ଳଜାନର ଅନୁପସ୍ଥିତିରେ ଏକ ବିଶେଷ କାର୍ବନ୍ ଇଲେକ୍ଟ୍ରୋଡ୍ ବ୍ୟବହାର କରାଗଲେ, ଜୀବାଣୁମାନେ ସେହି ଇଲେକ୍ଟ୍ରନ୍ଗୁଡ଼ିକୁ କାର୍ବନ୍ରେ ଜମା କରନ୍ତି। ତାର ମାଧ୍ୟମରେ ଏହି ଇଲେକ୍ଟ୍ରନ୍ଗୁଡ଼ିକ ଗତି କରିବା ଦ୍ୱାରା ବିଦ୍ୟୁତ୍ ପ୍ରବାହ ସୃଷ୍ଟି ହୋଇଥାଏ। ମୂତ୍ରରେ ପ୍ରଚୁର ପରିମାଣରେ ୟୁରିଆ ଓ ଲବଣ ରହିଥିବାରୁ ଏହା ଜୀବାଣୁଙ୍କ ପାଇଁ ଉତ୍କୃଷ୍ଟ ଖାଦ୍ୟ ତଥା ଶକ୍ତି ଉତ୍ପାଦନର ଆଦର୍ଶ ମାଧ୍ୟମ ପାଲଟିଥାଏ। ଘରୋଇ ବର୍ଜ୍ୟଜଳରେ ମିଳୁଥିବା ମୋଟ ନାଇଟ୍ରୋଜେନ୍ର ପ୍ରାୟ ୮୫ରୁ ୯୦ ପ୍ରତିଶତ ଏବଂ ଫସଫରସ୍ର ୫୦ରୁ ୮୦ ପ୍ରତିଶତ କେବଳ ମୂତ୍ରରୁ ଆସିଥାଏ। ତେଣୁ ସ୍ୱେରେଜ୍ ପାଣିରେ ମିଶିବା ପୂର୍ବରୁ ଶୌଚାଳୟରୁ ମୂତ୍ରକୁ ସିଧାସଳଖ ସଂଗ୍ରହ କରି ସାର ଏବଂ ଶକ୍ତି ତିଆରି କରିବା ଦ୍ୱାରା ପ୍ରଚୁର ଶକ୍ତି ବଞ୍ଚାଯାଇପାରିବ।
ଏହି ବୈଷୟିକ ଜ୍ଞାନକୌଶଳର ଅନ୍ୟ ଏକ ଆଞ୍ଚଳିକ ପରୀକ୍ଷଣରେ ଅମ୍ଳଜାନମୁକ୍ତ ସ୍ୱତନ୍ତ୍ର ପରିବେଶ ସୃଷ୍ଟି କରି ହାଇଡ୍ରୋଜେନ୍ ଗ୍ୟାସ୍ ମଧ୍ୟ ଉତ୍ପାଦନ କରାଯାଇଛି। ସ୍ୱଳ୍ପ ବିଦ୍ୟୁତ୍ ସହାୟତାରେ ପ୍ରୋଟୋନ୍ଗୁଡ଼ିକ ଇଲେକ୍ଟ୍ରନ୍ ଗ୍ରହଣ କରି ହାଇଡ୍ରୋଜେନ୍ ଗ୍ୟାସ୍ରେ ପରିଣତ ହୁଅନ୍ତି, ଯାହାକୁ ବୃହତ୍ ପରିମାଣରେ ସଂଗ୍ରହ କରାଯାଇପାରିବ। ତେବେ ଗବେଷକମାନେ ସ୍ୱୀକାର କରିଛନ୍ତି ଯେ ବର୍ତ୍ତମାନର ବ୍ୟବସ୍ଥାରେ ବିଦ୍ୟୁତ୍ ଉତ୍ପାଦନର ପରିମାଣ ଅତ୍ୟନ୍ତ ସୀମିତ। ବ୍ରିଟେନ୍ର ଏକ ବିଶ୍ୱବିଦ୍ୟାଳୟ ଏବଂ ପ୍ରସିଦ୍ଧ ସଙ୍ଗୀତ ମହୋତ୍ସବରେ ପ୍ରାୟ ଏକ ହଜାର ବ୍ୟବହାରକାରୀଙ୍କ ମୂତ୍ରରୁ କେବଳ କିଛି ଛୋଟ ଆଲୋକ ବଲ୍ବ ଜାଳିବା ଯୋଗ୍ୟ ବିଦ୍ୟୁତ୍ ମିଳିପାରିଥିଲା। ୨୦୧୨ ମସିହାରୁ ବିଶ୍ୱର ବିଭିନ୍ନ ସ୍ଥାନରେ ଏହି ପ୍ରଯୁକ୍ତିବିଦ୍ୟା ଉପରେ କାର୍ଯ୍ୟ ଚାଲିଥିଲେ ବି ଏହାକୁ ବ୍ୟାବସାୟିକ ଏବଂ ବୃହତ୍ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ଅଧିକ ଉନ୍ନତ ଗବେଷଣା ଜାରି ରହିଛି।


