କଟକ: ପାରାଦୀପ ବନ୍ଦରରେ ରହିଥିବା ମାଲବାହୀ ଜାହାଜ ‘ଏମ୍ଟି ୟୁନିଟି’ (ଆଇଏମଓ ୯୩୮୮୭୯୨)କୁ ଆରେଷ୍ଟ କରିବା ପାଇଁ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ କାରବାରକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଶୁଣାଣି କରି ଅଦାଲତ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ‘ଇଣ୍ଟରଓସିନ ସିପିଙ୍ଗ୍ ପ୍ରାଇଭେଟ ଲିମିଟେଡ’ ନାମକ ସଂସ୍ଥା ପକ୍ଷରୁ ଦାୟର ସାମୁଦ୍ରିକ ବିବାଦ ସଂକ୍ରାନ୍ତୀୟ ଆବେଦନର ବିଚାର କରି ଜଷ୍ଟିସ ଭି. ନରସିଂହଙ୍କ ଖଣ୍ଡପୀଠ ଏହି ଆଦେଶ ଜାରି କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ଆବେଦନକାରୀ ସଂସ୍ଥା ପ୍ରତିପକ୍ଷ ଜାହାଜ ବିରୋଧରେ ୪୨ ଲକ୍ଷ ୮୩ ହଜାର ୨୭୧ ଟଙ୍କା ଦାବି କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ମୂଳ ମାମଲା ବିଚାରାଧୀନ ଥିବା ବେଳେ ପ୍ରତିପକ୍ଷ ଜାହାଜଟି ଖୁବ୍ଶୀଘ୍ର ପାରାଦୀପ ବନ୍ଦର ଛାଡ଼ି ଚାଲିଯିବାର ସମ୍ଭାବନା ଥିଲା। ଯଦି ଜାହାଜଟି ବନ୍ଦରରୁ ଅନ୍ୟତ୍ର ଚାଲିଯାଏ, ତେବେ ଆବେଦନକାରୀ ସଂସ୍ଥାର ପ୍ରାପ୍ୟ ଅର୍ଥ ଆଦାୟ ହୋଇପାରିବ ନାହିଁ ଏବଂ ମାମଲା ଅପ୍ରାସଙ୍ଗିକ ହୋଇପଡ଼ିବ ବୋଲି ଅଦାଲତରେ ଦର୍ଶାଯାଇଥିଲା। ଏହାକୁ ଗୁରୁତ୍ୱର ସହ ନେଇ ହାଇକୋର୍ଟ ଜାହାଜଟିକୁ ପାରାଦୀପ ବନ୍ଦରରେ ଅଟକ ବା ଗିରଫ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅପରପକ୍ଷରେ, ଏହି ସାମୁଦ୍ରିକ ବିବାଦ ମାମଲାରେ ପ୍ରତିପକ୍ଷ ‘ଏମ୍ଟି ୟୁନିଟି’ ଜାହାଜ କର୍ତ୍ତୃପକ୍ଷ ଏବଂ ପାରାଦୀପ ବନ୍ଦର ଟ୍ରଷ୍ଟକୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ଏହାସହ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଜାହାଜ ସଂପର୍କିତ କୌଣସି ଦେୟ ବାବଦ ଅର୍ଥ ଆବେଦନକାରୀ ସଂସ୍ଥାର ଜମା ରାଶିରୁ ନ କାଟିବା ପାଇଁ ବନ୍ଦର କର୍ତ୍ତୃପକ୍ଷଙ୍କୁ ଅନ୍ତରୀଣ ନିର୍ଦ୍ଦେଶ ଦିଆଯାଇଛି। ଅଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୧୨ ତାରିଖକୁ ଧାର୍ଯ୍ୟ କରିଛନ୍ତି।


